ଭୟ ନା ସ୍ନେହ!

କଥାଟିଏ - ଯାଯାବର

ଜଣେ ଭିକାରି ଥିଲା। ତା’ ପାଖରେ ଭଗବାନଙ୍କ ଗୋଟିଏ ଛୋଟ ମୂର୍ତ୍ତି ଥିଲା। ସେଇ ମୂର୍ତ୍ତିକୁ ସେ ନିଜ ଅଣ୍ଟାରେ ଖୋସି ବୁଲୁଥିଲା। କେବେ ବି ପୂଜା କରୁ ନ ଥିଲା। ତେବେ ଖାଇବା ପୂର୍ବରୁ ଅଳ୍ପ କିଛି ତାଙ୍କ ସାମ୍‌ନାରେ ଥୋଇ ‘ଆପଣ ଖାଆନ୍ତୁ’ ବୋଲି କହି ନିଜେ ଖାଉଥିଲା।

ଦିନେ ଏ କଥା ଦେଖିଲେ ଜଣେ ବ୍ରାହ୍ମଣ। ସେ ତାକୁ କହିଲେ- ହଇରେ ପାପୀ, ତୁ ଭଗବାନଙ୍କ ମୂର୍ତ୍ତିଟିଏ ରଖି ଏ କି କାରବାର କରୁଛୁ? ଏହାକୁ ମୋତେ ଦେ। ମୁଁ ପୂଜା କରିବି।

ଭିକାରି କହିଲା- ଖୁସିର କଥା। ସେ ଯେଉଁଠି ରହିବେ, ଭଲରେ ରହନ୍ତୁ।

ବ୍ରାହ୍ମଣ ମୂର୍ତ୍ତିଟି ନେଇ ଅତି ଶୃଙ୍ଖଳାର ସହିତ ପୂଜାର୍ଚ୍ଚନା କଲେ। ଥରେ ବ୍ରାହ୍ମଣଙ୍କ ଏମିତି ଦେହ ଖରାପ ହେଲା ଯେ ସେ ଆଉ ବିଧିବିଧାନ ସହିତ ପୂଜା କରିପାରିଲେନାହିଁ। ତେଣୁ ସେ ଚିନ୍ତାରେ ପଡ଼ିଗଲେ।

ଏମିତି ଚିନ୍ତାଗ୍ରସ୍ତ ଅବସ୍ଥାରେ ଥିବା ବେଳେ ଦିନେ ହଠାତ୍‌ ତାଙ୍କ ମନରେ ଏକ ନୂଆ ପ୍ରକାର ଭାବନା ଆସିଲା। ତାଙ୍କୁ ଲାଗିଲା ଯେ ତାଙ୍କ ମନରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଠାରୁ ଅଧିକ ଅଛି ଭୟ। ତେଣୁ ସେ ଏମିତି ଶଙ୍କିତ ଅବସ୍ଥାରେ ଅଛନ୍ତି। ତାଙ୍କୁ ଲାଗିଲା ଯେ ସେହି ଭିକ୍ଷୁକ ପାଖରେ ଭଗବାନଙ୍କ ପ୍ରତି ଅତି ସହଜ ସ୍ନେହ ଭାବ ଥିଲା, ଯାହା ତାଙ୍କ ପାଖରେ ନାହିଁ।

ଏହି ଭାବନା ଦ୍ବାରା ତାଙ୍କ ମନରେ ଏକ ସହସା ପରିବର୍ତ୍ତନ ଆସିଲା। ଏବେ ସେ ମୂର୍ତ୍ତିଙ୍କୁ ପୂଜା କଲେ କିନ୍ତୁ ସ୍ନେହର ସହିତ। ଏଣିକି କଠୋର ବିଧିବିଧାନର ଆଶ୍ରୟ ନେଲେ ନାହିଁ। ସେ ମନ୍ତ୍ର ମଧୢ ପଢ଼ିଲେ ନାହିଁ। ଭଗବାନଙ୍କ ସହିତ କଥାବାର୍ତ୍ତା ଭିତରେ ପୂଜା ହେଲା ଏବ˚ ତାଙ୍କୁ ଏବେ ଯେଉଁ ଶାନ୍ତି ମିଳିଲା, ତାହା ଆଗରୁ ସେ ପାଇ ନ ଥିଲେ। ଏବେ ଭଗବାନଙ୍କ ଠାରୁ ଭୟ ଦୂର ହୋଇଗଲା। ତାଙ୍କୁ ଲାଗିଲା ଯେ ଭଗବାନ ଭୁଲ୍‌ ପାଇଁ ଦଣ୍ଡ ଦିଅନ୍ତି ନାହିଁ, କ୍ଷମା କରିଦିଅନ୍ତି।

ସମ୍ବନ୍ଧିତ ଖବର