ବିପରୀତ ବିଚାର

କଥାଟିଏ - ଯାଯାବର

ଜଣେ ଅତ୍ୟନ୍ତ ଧନୀ ବ୍ୟବସାୟୀ ଥିଲେ। ସେ ଯେଉଁ ବସତିରେ ରହୁଥିଲେ, ସେଠାରେ ଅନ୍ୟମାନେ ଥିଲେ ଦରିଦ୍ର। ବ୍ୟବସାୟୀ ଜଣକ ବି ସେମାନଙ୍କ ଭିତରୁ ଜଣେ ଥିଲେ। କିନ୍ତୁ ଭାଗ୍ୟ ତଥା ପରିଶ୍ରମ ବଳରେ ସେ ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରିଥିଲେ। କିନ୍ତୁ ଧନୀ ହେବା ପରେ ତାଙ୍କୁ ଲାଗିଲା ଯେ ସେ ଓ ତାଙ୍କର ଧନ ସ˚ପତ୍ତି ନିରାପଦ ନୁହେଁ। ତାଙ୍କୁ ଘେରି ରହିଥିବା ସାଇ ପଡ଼ିଶାର ଲୋକେ ଯେମିତି ସର୍ବଦା ତାଙ୍କ ଧନ ଅପହରଣ କରିବାର ମନ୍ତ୍ରଣା ଚଳାଇଛନ୍ତି। ତେଣୁ ସେ ନିଜକୁ, ନିଜ ପରିବାରକୁ ତଥା ନିଜ ଶଙ୍ଖମର୍ମର ପ୍ରାସାଦକୁ କଡ଼ା ପହରା ଭିତରେ ରଖିଲେ।

ମୃତ୍ୟୁ ପର୍ଯ୍ୟନ୍ତ ସେ ସେଭଳି ରହିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଏକମାତ୍ର ପୁତ୍ର ବ୍ୟବସାୟ ଓ ଧନ ସ˚ପତ୍ତି ପରିଚାଳନାର ଦାୟିତ୍ବ ନେଲେ। ତାଙ୍କ ଚିନ୍ତାଧାରା ଥିଲା ଭିନ୍ନ। ସେ ନିଜ ଧନ ଲଗାଇ ସେ ଅଞ୍ଚଳର ଏଭଳି ବିକାଶ କଲେ ଯେ ତହିଁରେ ତାଙ୍କ ଆଖପାଖରେ ରହୁଥିବା ଲୋକେ ମଧୢ ଲାଭବାନ ହେଲେ। ସେ ଅଞ୍ଚଳର ଭାଗ୍ୟ ବଦଳିଲା। ତାଙ୍କ ପାଖ ପଡ଼ୋଶୀମାନେ ବି ସ୍ବଚ୍ଛଳ ହେଲେ।

ସେ ବୃଦ୍ଧ ହୋଇଗଲେ। ଦିନେ ତାଙ୍କ ପୁଅ ତାଙ୍କୁ ପଚାରିଲା- ବାପା, ଏବେ ଆମେ ଯେଉଁଠି ଅଛନ୍ତି, ସେଇଠି ଅଛେ। ଆମ ଆଖପାଖରେ ସେଇ ସମାନ ଲୋକ ଅଛନ୍ତି। ଅଥଚ, ଜେଜେବାପା କାହିଁକି ସେମାନଙ୍କୁ ଭୟ କରୁଥିଲେ ଓ ତୁମେ କରୁନାହଁ?

ତା’ ବାପା କହିଲେ- ପୁଅ, ତୋ ଜେଜେବାପାଙ୍କ ପରିଶ୍ରମ ଓ ଭାଗ୍ୟ ବଳରୁ ଆମେ ସିନା ବହୁତ କିଛି ପାଇଗଲେ, ଆମ ପଡ଼ୋଶୀମାନେ ସେମିତି ଦୁଃଖକଷ୍ଟରେ ବୁଡ଼ି ରହିଥିଲେ। ସଇତାନ ସେମାନଙ୍କୁ କବଳିତ କରି ରଖିଲା। ଗୋଟିଏ କଥା ମନେରଖିବୁ, ତୁମେ ରହୁଥିବା ସ୍ବର୍ଗର ଚାରିପାଖେ ଯଦି ସଇତାନର ରାଜୁତି ଚାଲିଥିବ, ତେବେ ତମେ ଜାଣିବ ଯେ ତୁମ ସ୍ବର୍ଗ ବି ନିରାପଦ ନୁହେଁ। ତେଣୁ ସ୍ବର୍ଗ ଚାରି ପାଖରୁ ମଧୢ ସଇତାନକୁ ଦୂର କରିବାକୁ ହେବ।

ସମ୍ବନ୍ଧିତ ଖବର