ଥରେ ରାଜା ଗଲେ ଯମୁନା ଦର୍ଶନ କରିବା ଲାଗି। ଯମୁନା କୂଳ ଲୋକାରଣ୍ୟ ହୋଇଗଲା। ସେ ଅଞ୍ଚଳର ସବୁଠାରୁ ପ୍ରସିଦ୍ଧ ପୁରୋହିତ ରାଜାଙ୍କୁ ଯମୁନା ଦର୍ଶନ କରାଇଲେ। ସେ ଅଞ୍ଚଳର ଲୋକମାନେ ସେଇ ବ୍ରାହ୍ମଣଙ୍କୁ ଯେଉଁଭଳି ଭକ୍ତି ପ୍ରଦର୍ଶନ କରୁଥିଲେ ସେଥିରେ ରାଜାଙ୍କ ମନରେ ବ୍ରାହ୍ମଣଙ୍କ ପ୍ରତି ଈର୍ଷା ଉଦ୍ରେକ ହେଲା। ପୂଜା ସରିବା ପରେ ରାଜା ଦକ୍ଷିଣା ସ୍ବରୂପ ଜାଣିଶୁଣି ନିଜ ପାଖରେ ଥିବା ଏକ ଅଚଳ ମୁଦ୍ରା ବ୍ରାହ୍ମଣଙ୍କ ହାତରେ ଗୁଞ୍ଜି ଦେଲେ। ଲୋକମାନେ ଭାବିଥିଲେ ଯେ ରାଜା ବହୁତ କିଛି ଦକ୍ଷିଣା ସ୍ବରୂପ ଦେବେ। କିନ୍ତୁ ରାଜା କ’ଣ ଦେଲେ କେହି ଜାଣିଲେ ନାହିଁ, କେବଳ ଜାଣିଲେ ନିଜେ ରାଜା ଓ ବ୍ରାହ୍ମଣ। ବ୍ରାହ୍ମଣ କିନ୍ତୁ ତାହା ନତ ମସ୍ତକରେ ଗ୍ରହଣ କଲେ ଏବ˚ ରାଜାଙ୍କୁ ଭରପୂର ଆଶୀର୍ବାଦ କଲେ।
ରାଜା ଯିବା ପରେ ଲୋକେ ବ୍ରାହ୍ମଣଙ୍କୁ ପଚାରିଲେ- ରାଜା କ’ଣ ଦେଲେ। ବ୍ରାହ୍ମଣ କହିଲେ- ରାଜା ଯାହା ଦେଇଛନ୍ତି ତାହା ଅପୂର୍ବ। ମୋର ସମସ୍ତ ପିଢ଼ି ମିଶିଗଲେ ବି ତାହା ଖର୍ଚ୍ଚ କରିପାରିବେ ନାହିଁ।
ଏ କଥା ଚାରିଆଡ଼େ ବ୍ୟାପିଗଲା। ସମସ୍ତେ ବ୍ରାହ୍ମଣଙ୍କୁ ଈର୍ଷା କଲେ। କଥା ରାଜଧାନୀରେ ପହଞ୍ଚିଗଲା। ରାଜାଙ୍କ ପାଖ ଲୋକ ବି ପଚାରିଲେ- ମହାରାଜ, ଆପଣ ଏମିତି କ’ଣ ମହାର୍ଘ ଚିଜ ଦେଲେ କି?
ବାରମ୍ବାର ଏ କଥା ଶୁଣିବା ପରେ ରାଜାଙ୍କ ମନରେ ବି ସନ୍ଦେହ ହେଲା। ତେଣୁ ରାଜା ବ୍ରାହ୍ମଣଙ୍କୁ ଡାକିଲେ ଓ ଗୋପନରେ ପଚାରିଲେ- ସତ କୁହ ଘଟଣା କ’ଣ? ତୁମକୁ ତ ଅଚଳ ମୁଦ୍ରା ଦେଇଥିଲି? ତୁମେ ଏମିତି କ’ଣ କହୁଛ?
ବ୍ରାହ୍ମଣ କହିଲେ- ମଣିମା, ମୁଁ ସତ କହିଛି। କାରଣ ଆପଣ ଯାହା ଦେଲେ ତାକୁ ମୁଣ୍ତ ପିଟିଲେ ବି କେହି ଚଳାଇ ପାରିବେ ନାହିଁ। ଏଣେ ଆପଣ ମୋର ଅନ୍ନଦାତା। ତେଣୁ ଆପଣଙ୍କ ସମ୍ମାନ ରଖିବା ଲାଗି ମୁଁ ସେଇ କଥାଟି କହିଥିଲି।
ରାଜା ଏଥର ଖୁସି ହୋଇ ବ୍ରାହ୍ମଣଙ୍କୁ ଅନେକ ଧନରତ୍ନ ଦାନ ଭାବେ ଦେଲେ।