ଦୁର୍ଭାଗ୍ୟକୁ ଜଣେ ଭଦ୍ରଲୋକ ଭୁଲ୍ ବୁଝାମଣାର ଶିକାର ହେଲେ। ସଡ଼କରେ ଜଣେ ମହିଳା ତାଙ୍କୁ ପକେଟ୍ମାର ବୋଲି ଲାଂଛନା ଲଗାଇଲେ। ଅପମାନିତ ହୋଇ ଭଦ୍ରଲୋକ ୟୁଜିକେଙ୍କ ନିକଟକୁ ଗଲେ। ଗୁରୁ ୟୁଜିକେ ସବୁ ଶୁଣି କହିଲେ- ତୁମ ମନ କଥା ମୁଁ ବୁଝିପାରୁଛି। ଏବେ ଗପଟିଏ କହୁଛି ଶୁଣ।
ଜଣେ ତରୁଣ ଜେନ୍ ସାଧୁ ଗୋଟିଏ ଗାଁରେ ରହିବାକୁ ଆରମ୍ଭ କଲେ। ସେହି ସୁଦର୍ଶନ ଯୁବ ସାଧୁଙ୍କୁ ଦେଖି ଗାଁର ଜଣେ ଯୁବତୀ ତାଙ୍କୁ ବିବାହ କରିବାକୁ ଚାହିଁଲା ଓ ପ୍ରସ୍ତାବ ଦେଲା। ଯୁବ ସାଧୁ ଏହା ଶୁଣି କେବଳ ଏତିକି ମାତ୍ର କହିଲେ- ସତେ କି!
କଥା ସରିଗଲା। ଯୁବତୀ ରାଗ ତମତମ ହୋଇ ଫେରିଲା ଏବଂ ଭାବିଲା ଏହାର ପ୍ରତିଶୋଧ ନେବ। କିଛି ଦିନ ପରେ ସୁଯୋଗ ଦେଖି ଗାଁ ଲୋକଙ୍କୁ ସେ କହିଲା ସାଧୁଟି ପାଜି। େସ ମୋ ସହିତ ଦୁର୍ବ୍ୟବହାର କରିଛି। ଗାଁ ଲୋକେ ରାଗି ଯାଇ ସାଧୁଙ୍କୁ ଏ ଅଭିଯୋଗର ସତ୍ୟତା ବିଷୟରେ ପଚାରିଲେ। ସାଧୁ ପୁଣି କେବଳ ଏତିକି କହିଲେ- ସତେ କି!
କଥା ଶେଷ। ଲୋକେ ରାଗି ଯାଇ ସାଧୁଙ୍କୁ ଉତ୍ତମ ମଧ୍ୟମ ଚଢ଼ାଇ ଗାଁ ବାହାରେ ଛାଡ଼ି ଦେଲେ। ସାଧୁ ଗାଁ ବାହାରେ କୁଡ଼ିଆ କରି ରହିଲେ। ଏହାର କିଛି ଦିନ ପରେ ଯୁବତୀର ମନରେ ଅନୁତାପ ଆସିଲା। ସେ ଗାଁ ଲୋକଙ୍କ ଆଗରେ ତା’ର ଦୋଷ ସ୍ବୀକାର କରି ମିଛ କହିଛି ବୋଲି କହିଲା।
ଗାଁ ଲୋକେ ଏବେ ସାଧୁଙ୍କ ପାଖକୁ କ୍ଷମା ମାଗିବା ଲାଗି ଦୌଡ଼ିଲେ। ସାଧୁ ସବୁ ଶୁଣି ପୂର୍ବ ଭଳି ନିର୍ଲିପ୍ତ କଣ୍ଠରେ କହିଲେ- ସତେ କି!
ଏହା ଶୁଣି ଭଦ୍ର ବ୍ୟକ୍ତି ମଧ୍ୟ ହସି ପକାଇଲେ ଓ କହିଲେ ସତରେ ମୁଁ ନିଜେ ଠିକ ଥିବାରୁ ଅନ୍ୟ କାହାର ଆରୋପରେ ଅଯଥା ବିଚଳିତ ହୋଇପଡ଼ିବା ଅନୁଚିତ।