ଅନନ୍ୟ ନୃତ୍ୟ

କଥାଟିଏ - ଯାଯାବର

ପୃଥିବୀରେ ଏମିତି ଅନେକ କିଛି ଘଟିଯାଏ, ଯାହାକୁ କାରଣ ପରିଣାମ ତତ୍ତ୍ବ ଅନୁସାରେ ବୁଝିବାକୁ ଚେଷ୍ଟା କଲେ ବୁଝି ହୁଏନାହିଁ। ସେମିତି ଘଟଣାଟିଏ ଅନେକ ସମୟରେ ଘଟୁଥିଲା ଭାସଲାଭ ନିଜିନ୍‌ସ୍କିଙ୍କ ନୃତ୍ୟ ପ୍ରଦର୍ଶନ ବେଳେ।

କୁହାଯାଏ ଯେ ପୋଲିଶ୍‌-ରୁଷୀୟ ବ୍ୟାଲେ ନର୍ତ୍ତକ ନିଜିନ୍‌ସ୍କିଙ୍କ ନୃତ୍ୟ ଥିଲା ଐନ୍ଦ୍ରଜାଲିକ। ଆଦ୍ୟ ବି˚ଶ ଶତାବ୍ଦୀରେ ତାଙ୍କ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍‌ଧ କରି ପକାଉଥିଲା। ଏହା ମଧୢ କୁହାଯାଏ ଯେ ତାଙ୍କ ସମତୁଲ ନର୍ତ୍ତକ ଆଜି ଯାଏ ସମ୍ଭବ ହୋଇ ନାହାନ୍ତି।

ନିଜିନ୍‌ସ୍କି ନୃତ୍ୟ କଲା ବେଳେ ଅନେକ ସମୟରେ ଏତେ ଉଚ୍ଚକୁ ଡେଇଁ ଯାଉଥିଲେ ଯେ କୁହାଯାଉଥିଲା ତାହା ମାଧୢାକର୍ଷଣ ନିୟମକୁ ମାନୁ ନାହିଁ। ପୁଣି ସେ ଯେତେବେଳେ ତଳକୁ ଅବତରଣ କରୁଥିଲେ, ଲାଗୁଥିଲା ସତେ ଯେମିତି ସେ ଧୀରେ ଧୀରେ ଖସି ଭୂମି ସ୍ପର୍ଶ କରୁଛନ୍ତି।

ଏ ବାବଦରେ ଅନେକ ଗବେଷଣା ମଧୢ କରାଯାଉଥିଲା। ନିଜିନ୍‌ସ୍କିଙ୍କୁ ଯେତେବେଳେ ଏ ସ˚ପର୍କରେ ପଚରା ଯାଉଥିଲା, ସେ ସରଳ ଉତ୍ତରଟିଏ ଦେଉଥିଲେ- ‘ମୁଁ କିଛି କରୁନାହିଁ। ସେମିତି ହୋଇଯାଉଛି।’

ଏ କଥାଟି କହିସାରି ଗୁରୁ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ- ଯେ କୌଣସି ଅଲୌକିକ ସାମର୍ଥ୍ୟ ପ୍ରଦର୍ଶନ ପରେ ପ୍ରଦର୍ଶନକାରୀ ଊଣାଅଧିକେ ତାହା ହିଁ କହିଥାଆନ୍ତି। କାରଣ ମନୁଷ୍ୟ ସାମର୍ଥ୍ୟ ଅତିକ୍ରମୀ ଅଲୌକିକତା କେବଳ ବେଳେବେଳେ ଏକ ମାନବୋତ୍ତର ଇଚ୍ଛା ବଳରେ ହୋଇଯାଇଥାଏ। ସେଥିରେ ମଣିଷର କୌଣସି ଭୂମିକା ନ ଥାଏ। କିନ୍ତୁ ଏତିକି ନ ବୁଝିଲେ ମଣିଷ ଅହଂକାରୀ ହୋଇଯାଇପାରେ।

ସମ୍ବନ୍ଧିତ ଖବର