କପ୍‌କୁ କ୍ଷମା ମାଗ

କଥାଟିଏ - ଯାଯାବର

ଥରେ ଜଣେ ଯୁବକ ଗୁରୁ ୟୁଜିକେଙ୍କ ନିକଟରେ ପହଞ୍ଚି ଅତ୍ୟନ୍ତ ବିମର୍ଷ ଭାବେ କହିଲେ- ଆଜ୍ଞା, ରାଗ ଉପ‌େର ମୋର ନିୟନ୍ତ୍ରଣ ନାହିଁ। ଏହା ମୋତେ ଅନ୍ଧ କରି ପକାଉଛି।

ଆଜି କୌଣସି କାରଣରୁ ରାଗିଗଲି ଏବଂ ପାଖରେ ଥିବା ‌କପ୍‌କୁ କଚାଡ଼ି ଭାଙ୍ଗିଦେଲି। ତାହାକୁ ମୋ ବାପା ମୋତେ ଉପହାର ଭାବେ ଦେଇଥିଲେ ଏବଂ ପ୍ରତ୍ୟହ ମୁଁ ସେଥିରେ ଚା’ ପିଇଥାଏ। ଏବେ ମୁଁ ଗ୍ଳାନିବୋଧରେ ଜର୍ଜରିତ। ବହୁତ ଅନୁତାପ କରୁଛି। କିନ୍ତୁ ଗ୍ଳାନି ଦୂର ହେଉ ନାହିଁ। କ’ଣ କରିବି?

ୟୁଜିକେ ତାଙ୍କୁ ପାଖରେ ବସାଇ କହିଲେ- ତୁମେ ରାଗରେ ହିତାହିତ ଜ୍ଞାନ ହରାଇଥିବାରୁ ଯାହା କରିଛ, ସେଥି ଲାଗି ତୁମେ ସେହି ଭଙ୍ଗା କପ୍‌ ନିକଟରେ ଦୋଷୀ। ତାକୁ କ୍ଷମା ମାଗ।

ଯୁବକ କହିଲେ- ଭଙ୍ଗା କପ୍‌କୁ କ୍ଷମା ମାଗିବି? ତାହା ତ ନିର୍ଜୀବ?

ୟୁଜିକେ କହିଲେ- ତୁମେ ତାକୁ ମନ ଭିତରେ ଏକ ସଜୀବ ଆତ୍ମାରେ ପରିଣତ କର। ସେ ତୁମକୁ ଏତେ ଦିନ ଧରି ନିରବରେ କରିଥିବା ସେବାକୁ ମନେ ପକାଇ ତୁମେ ଅନ୍ତରରୁ ତାକୁ କ୍ଷମା ମାଗ। ତା’ ପରେ ଦେଖ କ’ଣ ହେଉଛି!

ଯୁବକ ତାହା କଲେ। କପ୍‌ର ଭଙ୍ଗା ଖଣ୍ଡକୁ ଏକାଠି କରି ଅତୀତରେ ସେହି କପ୍‌ ଦ୍ବାରା ପିଇଥିବା ଚା’ ପାନର ଅନୁଭୂତିକୁ ମନେ ପକାଇ ଅଯଥାରେ ତା’ ପ୍ରତି କରିଥିବା ଅବିଚାର ଲାଗି ମନ ଭିତରୁ କ୍ଷମା ମାଗିଲେ। ସେ ସହସା ଅନୁଭବ କଲେ ଯେ ସତେ ଯେମିତି କପ୍‌ ତାହା ଶୁଣିଲା। ତାଙ୍କ ମନ ହଠାତ୍‌ ହାଲୁକା ଓ ଶାନ୍ତ ହୋଇଗଲା।

ସମ୍ବନ୍ଧିତ ଖବର