ପଇସାଟିଏ ବି ଦେବି ନାହିଁ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ ଥିଲେ ଜଣେ ଅତି ଧନୀ ଅଥଚ ସଂପୂର୍ଣ୍ଣ କୃପଣ ଲୋକ। ଥରେ କୌଣସି ଏକ ମହତ୍‌ କାମ ଲାଗି ଗାଁ ଲୋକେ ମୁଲ୍ଲାଙ୍କ ଠାରୁ ଚାନ୍ଦା ଆଣିବା ଲାଗି ସ୍ଥିର କଲେ ଏବଂ କାମରେ ସଫଳତା ଲାଭ କରିବା ଲାଗି ସାଙ୍ଗରେ ମୌଲବୀଙ୍କୁ ନେଇ ଗଲେ। ମୌଲବୀ ଥିଲେ ମହାଜ୍ଞାନୀ ଏବଂ ତାଙ୍କ ଉପଦେଶ ବଳରେ ସେ ଲୋକଙ୍କ ହୃଦୟ ବଦଳାଇ ଦେଇ ପାରୁଥିଲେ। ସୁତରାଂ, ମୁଲ୍ଲାଙ୍କ ହୃଦୟ ପରିବର୍ତ୍ତନ କରି ତାଙ୍କ ଠାରୁ ଚାନ୍ଦା ଆଣିବା ଗାଁ ଲୋକଙ୍କ ଉଦ୍ଦେଶ୍ୟ ଥିଲା।

ମୁଲ୍ଲାଙ୍କୁ ପାଖରେ ବସାଇ ମୌଲବୀ ଦାନର ମହିମା ବିଷୟରେ ଏମିତି ବଖାଣିଲେ ଯେ ମୁଲ୍ଲା ରୋମାଂଚିତ ହୋଇ ଛିଡ଼ା ହୋଇ ପଡ଼ିଲେ। ତାଙ୍କ ମୁହଁ ଉଜ୍ଜ୍ବଳ ଦିଶିଲା। ଲୋକଙ୍କ ମନରେ ଆଶା କଅଁଳିଲା।

କିନ୍ତୁ ମୁଲ୍ଲା ଉଠି ପଡ଼ି ସିଧା ଘର ବାହାରକୁ ଚାଲିଲେ।

ଲୋକେ ତାଙ୍କୁ ପଛରୁ ଡାକି କହିଲେ- ମୁଲ୍ଲା ବାହାରକୁ କୁଆଡ଼େ ଯାଉଛ? ଭିତରକୁ ଯାଇ କିଛି ଟଙ୍କା ଆଣି ଦାନ କର।

ମୁଲ୍ଲା କହିଲେ- ହେ ଭଗବାନ, ତୁମେମାନେ କ’ଣ ଭାବିଲ କି? ଆରେ ବାବୁ, ମୌଲବୀଙ୍କ କଥା ଶୁଣି ମୋତେ ଏତେ ଭଲ ଲାଗିଲା ଯେ ମୁଁ ବି ଯାଉଛି ତାଙ୍କ ଭଳି ଦାନର ମାହାତ୍ମ୍ୟ କଥା କିଛି ଲୋକଙ୍କୁ କହିବି।

ଲୋକେ କହିଲେ- କିନ୍ତୁ ତୁମେ କ’ଣ ଦାନ ଦେବ ନାହିଁ?

ମୁଲ୍ଲା କହିଲେ- ଜମାରୁ ନୁହେଁ। ଗୋଟିଏ ପଇସା ବି ଦେବି ନାହିଁ।

ସମ୍ବନ୍ଧିତ ଖବର