ମନ ଜାଣି ଦୃଷ୍ଟି

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଏକୁଟିଆ ଜଙ୍ଗଲିଆ ରାସ୍ତାରେ ଯାଉଥିଲେ। ହଠାତ୍‌ ସେ କିଛି ଶବ୍ଦ ଶୁଣି ଭୀଷଣ ଡରିଯାଇ ଏକ ବୁଦା ମୂଳରେ ଲୁଚିଗଲେ। କିଛି ସମୟ ପରେ ସେଠାରେ ପହଞ୍ଚିଲେ ଦଳେ ଚୋର। ସେମାନେ ସେଠାରେ ଚୋରି ମାଲ୍‌ ବାଣ୍ଟିବାକୁ ଲାଗିଲେ। ଏତିକି ବେଳେ ସେମାନଙ୍କ ଭିତରୁ ଜଣେ ଏହି ବ୍ୟକ୍ତିଙ୍କୁ ଦେଖି ପକାଇଲା। ସେମାନେ ତାଙ୍କୁ ଘେରିଗଲେ। ବ୍ୟକ୍ତି ଜଣକ ଭୟ ପାଇ ଛିଡ଼ା ହୋଇଗଲେ। କିନ୍ତୁ ଚୋରମାନେ କହାକହି ହେଲେ- ଭାଇ ୟେ ବି ବୋଧେ ଆମ ଭଳି ଗୋଟିଏ ଚୋର। ତା’ ହୋଇ ନ ଥିଲେ ଏ ଜଙ୍ଗଲରେ ବୁଦା ଭିତରେ କାହିଁକି ଲୁଚି ବସିଥାଆନ୍ତା?

ବ୍ୟକ୍ତି ଜଣକଙ୍କ ମୁହଁରୁ କିଛି କଥା ବାହାରୁ ନ ଥିଲା। ଚୋରମାନେ ତାଙ୍କୁ ଦୁଇ ପାହାର ଦେଇ କହିଲେ- ଶୀଘ୍ର ଏ ଜାଗା ଛାଡ଼ି ଭାଗ୍‌।

ଚୋରଙ୍କ ହାତରୁ ପ୍ରାଣ ବଞ୍ଚାଇ ବ୍ୟକ୍ତି ଜଣକ ଜଙ୍ଗଲ ରାସ୍ତାରେ ଦୌଡ଼ିବାକୁ ଲାଗିଲେ। ଜଙ୍ଗଲ ପରେ ଆସିଲା ଗାଁଟିଏ। ଗାଁର ମନ୍ଦିରରେ ଧର୍ମ ଚର୍ଚା ଚାଲିଥିଲା। ସେ ବ୍ୟକ୍ତିଙ୍କ ପିଣ୍ତରେ ପ୍ରାଣ ପଶିଲା। ଧର୍ମ ଚର୍ଚା ପରେ ଭୋଜନର ବ୍ୟବସ୍ଥା ଥିଲା। ସମସ୍ତେ ଖାଇବା ପାଇଁ ବସିଗଲେ। ସେଇ ବ୍ୟକ୍ତି ବି ସେଇ ଧାଡ଼ିରେ ବସିଗଲେ। ଜଣେ ଉଦ୍ୟୋକ୍ତୋ ତାଙ୍କୁ ଦେଖି କହିଲା- ଏ ନବାଗତ ମହାଶୟ ନିଶ୍ଚିତ ଜଣେ ଯାତ୍ରୀ। ୟାଙ୍କୁ ଖାଇବାକୁ ଦେବା ସହିତ ମନ୍ଦିର ସ˚ଲଗ୍ନ ଅତିଥି କକ୍ଷରେ ତାଙ୍କ ରହିବାର ବ୍ୟବସ୍ଥା କର।

ଗପଟି କହି ଶିକ୍ଷକ ଛାତ୍ରମାନଙ୍କୁ କହିଲେ- ଯାହାର ମନ ଯେମିତି ସେ ଅନ୍ୟକୁ ସେଇଭଳି ଭାବେ ଦେଖେ।

ସମ୍ବନ୍ଧିତ ଖବର