ଭବିଷ୍ୟବାଣୀର ଅର୍ଥ

କଥାଟିଏ - ଯାଯାବର

ଗୋଟିଏ ରାଜ୍ୟରେ ଏକ ପାହାଡ଼ର ଶୀର୍ଷରେ ଥିଲା ଗୋଟିଏ ମନ୍ଦିର। ମନ୍ଦିରର ଦେବତା ଯାହା ଭବିଷ୍ୟବାଣୀ କରୁଥିଲେ, ତାହା ସତ୍ୟ ହେଉଥିଲା।

ଦିନେ ରାଜା ଖବର ପାଇଲେ ଯେ ତାଙ୍କ ରାଜ୍ୟ ବାହାରେ ଆକ୍ରମଣ କରିବା ଉଦ୍ଦେଶ୍ୟ ନେଇ ପଡ଼ୋଶୀ ରାଜ୍ୟର ରାଜା ସୈନ୍ୟସାମନ୍ତ ଠୁଳ କରିଛନ୍ତି। ଏହା ଶୁଣି ରାଜା ଚାଲିଲେ ମନ୍ଦିରକୁ। ସେଠାରେ ପୂଜା କରି ରାଜା ମନେ ମନେ ପ୍ରଶ୍ନ କଲେ- ମୁଁ ବିଜୟୀ ହେବି ତ?

ମନ୍ଦିର ଭିତରୁ ଦେବତାଙ୍କ ବାଣୀ ଭାସିଆସିଲା- ବଞ୍ଚିଥିବା ଯାକେ ତୋତେ କେହି ହରାଇ ପାରିବେ ନାହିଁ। ତୁ ଅପରାଜେୟ ରହିବୁ।

ଏହା ଶୁଣିବା ପରେ ରାଜାଙ୍କ ମୁହଁରେ ଖେଳି ଗଲା ତୃପ୍ତିର ହସ। ତାଙ୍କର ଛାତି ଅହଙ୍କାରରେ ଫୁଲି ଉଠିଲା। କିନ୍ତୁ ମନ୍ଦିର ବାହାରେ ବସିଥିବା ଜଣେ ସାଧୁଙ୍କ ହସ ତାଙ୍କ ଭାବନାକୁ ଭଙ୍ଗ କଲା।

ରାଜା ବିରକ୍ତିର ସହିତ ପଚାରିଲେ- ହସୁଛ କାହିଁକି?

ସାଧୁ କହିଲେ- ଦୈବୀ ବାଣୀ ଶୁଣିବା ପରେ ତୁମର ମନୋଭାବ ଦେଖି ହସ ମାଡ଼ିଲା।

ରାଜା ପଚାରିଲେ- କାହିଁକି ସେଥିରେ କ’ଣ ଅସୁବିଧା ଅଛି?

ସାଧୁ କହିଲେ- କଥା ହେଲା, ତୁମେ କେତେ ବେଳ ଯାଏ ବଞ୍ଚିବ ସେ କଥା ଦୈବୀ ବାଣୀ କହିଛି କି? ତୁମେ ଯଦି ଏହି କ୍ଷଣି ପ୍ରାଣ ତ୍ୟାଗ କର, ତେବେ ତୁମେ ବଞ୍ଚିଥିବା ପର୍ଯ୍ୟନ୍ତ ଅପରାଜେୟ ରହିବ ବୋଲି ଭବିଷ୍ୟବାଣୀ ସତ୍ୟ ହେବ। କିନ୍ତୁ ଆପଣ ଯୁଦ୍ଧରେ ହାରିବେ ନାହିଁ ବୋଲି ଭବିଷ୍ୟବାଣୀ କହି ନାହିଁ ତ? ଆମର ଭ୍ରାନ୍ତି ହେଉଛି ଆମେ ସର୍ବଦା ଭାବି ନେଉ ଯେ ଆମେମାନେ ସଦା ବେଳେ ବଞ୍ଚି ରହିବୁ! କିନ୍ତୁ ବଞ୍ଚିବା ଓ ମରିବା ତ ବିଧି ନିର୍ଦ୍ଦିଷ୍ଟ।

ରାଜା ପଚାରିଲେ- ତାହା ହେଲେ କ’ଣ କରିବା ଉଚିତ?

ସାଧୁ କହିଲେ- ଅବଶ୍ୟ ଯୁଦ୍ଧ କରିବ। କିନ୍ତୁ ମନରୁ ଅହ˚କାର ଦୂରରେ ରଖି କର୍ତ୍ତବ୍ୟ ସ˚ପାଦନ କର।

ସମ୍ବନ୍ଧିତ ଖବର