କନ୍‌ଫୁସିଅସ୍‌ ଓ ବୃଦ୍ଧ

କଥାଟିଏ - ଯାଯାବର

ପ୍ରାଚୀନ କାଳର କଥା। ଚୀନ ଦେଶରେ ଜଣେ ନବେ ବର୍ଷର ବୃଦ୍ଧ ଘଣାରେ ତେଲ ପେଡୁଥିଲେ। ବଡ଼ ଘଣାକୁ ବୁଲାଇବା ଲାଗି ଥିବା ଜୁଆଳିକୁ ନିଜ କାନ୍ଧରେ ବହନ କରି ଟାଣୁଥିଲେ। ସେହି ସମୟରେ ସେଇ ବାଟେ କନ୍‌ଫୁସିଅସ୍‌ ଯାଉଥିଲେ। ସେ ଏହି ବୃଦ୍ଧଙ୍କ ପରିଶ୍ରମ ଦେଖି ସ୍ତବ୍‌ଧ ହୋଇଗଲେ ଏବଂ ସେଠାରେ ଅଟକି ଗଲେ।

ବେଶ୍‌ କିଛି ସମୟ ଏଭଳି ଟାଣିଲା ପରେ ବୃଦ୍ଧ ବିଶ୍ରାମ ନେବା ଲାଗି ଅଟକିଲେ। ଏହା ଦେଖି କନ୍‌ଫୁସିଅସ୍‌ ତାଙ୍କ ପାଖକୁ ଯାଇ କହିଲେ- ମହାଶୟ, ଆପଣ କ’ଣ ଜାଣି ନାହାନ୍ତି ଯେ ଆଉ ମଣିଷମାନେ ଏଭଳି ଜୁଆଳି ଟାଣୁ ନାହାନ୍ତି ବୋଲି? ମଣିଷମାନଙ୍କ ସ୍ଥାନରେ ଏବେ ଘୋଡ଼ା ଯୋଚା ହେଲେଣି।

ବୃଦ୍ଧ କହିଲେ- ସେଇ କଥା କହୁନା? ତୁମ ଭଳି ଲୋକଙ୍କ କଥା ଶୁଣି ମୋ ପୁଅ ବି ସେୟା କହି ଆଜି କାମକୁ ଆସିଲା ନାହିଁ। ସେ କହୁଛି ବାପା, ଘୋଡ଼ା ଆଣ!
କନ୍‌ଫୁସିଅସ୍‌ କହିଲେ- ଆପଣଙ୍କ ପୁଅ ତ ଠିକ କଥା କହୁଛି! ଘୋଡ଼ାଟିଏ ଆଣୁ ନାହାନ୍ତି?

ବୃଦ୍ଧ କହିଲେ- ମୋ ବୟସ ନବେ ବର୍ଷ। ମୁଁ ଏକୁଟିଆ ଜୁଆଳି ଭିଡ଼ିବାକୁ ସମର୍ଥ। କିନ୍ତୁ ମୁଁ ଗୋଟିଏ କଥା ବୁଝି ପାରୁନାହିଁ। ତୁମେ ଆମର ଶତ୍ରୁ ନା ମିତ୍ର?
କନ୍‌ଫୁସିଅସ୍‌ ବିସ୍ମିତ ହୋଇ ପଚାରିଲେ- କାହିଁକି ଏମିତି କହୁଛନ୍ତି?

ବୃଦ୍ଧ କହିଲେ- ତାହା ହୋଇ ନ ଥିଲେ ତୁମେ ଘୋଡ଼ାର ସ୍ବାସ୍ଥ୍ୟ ଭଲ ରଖି ମୋ ପୁଅର ସ୍ବାସ୍ଥ୍ୟ ବିଗିଡ଼ିବା ଭଳି କଥା କହୁ ନ ଥାଆନ୍ତ!

ସମ୍ବନ୍ଧିତ ଖବର