ଚୋରି ମୂଲ୍ୟହୀନ

କଥାଟିଏ - ଯାଯାବର

ଜେନ୍‌ ଗୁରୁ ନେନେଙ୍କ ଜଣେ ଶିଷ୍ୟ କହିଲେ ଯେ ନେନେଙ୍କ ଠାରୁ କୌଣସି ଦ୍ରବ୍ୟ ଚୋରି କରି ନେବା ଅସମ୍ଭବ।

ଏହା ଶୁଣୁଥିବା ତାଙ୍କର ଜଣେ ବନ୍ଧୁ କହିଲେ- କାହିଁକି, ସେ କ’ଣ ଭାରି ସତର୍କ?

ନେନେଙ୍କ ଶିଷ୍ୟ କହିଲେ- ତେବେ କଥାଟା ଶୁଣ। ଥରେ ଜଣେ ଧନୀ ବ୍ୟକ୍ତି ନେନେଙ୍କୁ ଗୋଟିଏ ସୁନା ତିଆରି ସୁନ୍ଦର ବୁଦ୍ଧ ପ୍ରତିମା ଦେଇଥିଲେ। ନେନେ ବହୁତ ଖୁସି ହୋଇଗଲେ। ତାକୁ ନେଇ ନେନେଙ୍କ ପ୍ରକୋଷ୍ଠର ଗୋଟିଏ ସ୍ଥାନରେ ରଖାଗଲା।

ହଠାତ୍ ଦିନେ ଦେଖାଗଲା ଯେ ତାହା ସେଠାରେ ନାହିଁ। ନେନେଙ୍କୁ ଜଣାଇଲେ କାଳେ ସେ ବ୍ୟସ୍ତ ହୋଇପଡ଼ିବେ ବୋଲି ତାଙ୍କୁ ନ କହି ଶିଷ୍ୟମାନେ ବହୁତ ଖୋଜାଲୋଡ଼ା କଲେ। ପରିଶେଷରେ ଜଣାପଡ଼ିଲା ଯେ ଆଶ୍ରମକୁ ଆସିଥିବା ଜଣେ ବ୍ୟକ୍ତି ଲୋଭ ସମ୍ଭାଳି ନ ପାରି ତାହା ଉଠେଇ ନେଇଛନ୍ତି।

ବୁଦ୍ଧ ମୂର୍ତ୍ତିକୁ ପୁଣି ଅଣାଗଲା। ତା’ ପରେ ଯାଇ ଜଣେ ଶିଷ୍ୟ ନେନେଙ୍କୁ ସବୁ କଥା କହିଲେ।

ଏହା ଶୁଣି ନେନେ କହିଲେ- ଯଦି କୌଣସି ଚିଜ ଥିବା ବା ନ ଥିବା ନେଇ ମୋ ମନରେ ଫରକ ନାହିଁ, ଯଦି ହଜିବା ଯେତିକି ରୋମାଂଚହୀନ ପାଇବା ବି ସେତିକି ରୋମାଂଚହୀନ, ତେବେ ଥିବା କ’ଣ ନ ଥିବା କ’ଣ? ଏମିତିରେ ଚୋରି କ’ଣ?

ଶିଷ୍ୟ କହିଲା- ଆମେ କିନ୍ତୁ ଭାବିଥିଲୁ ଆପଣ ଏହି ମୂର୍ତ୍ତିକୁ ବହୁତ ଭଲ ପାଆନ୍ତି! ‌ତେଣୁ ବହୁତ ଖୋଜାଖୋଜି କରି ପାଇଲୁ।

ନେନେ କହିଲେ- ଭଲ ପାଏ ତ ନିଶ୍ଚୟ! କିନ୍ତୁ ଏହା ଉପରେ କର୍ତ୍ତୃତ୍ବ ରଖେନା। ଏହା ତୁମ ପାଖରେ ଥିଲେ ବି ମୋତେ ସମାନ ଆନନ୍ଦ ଦେବ।

ସମ୍ବନ୍ଧିତ ଖବର