ନାଗାର୍ଜୁନଙ୍କ ଭିକ୍ଷା ପାତ୍ର

କଥାଟିଏ - ଯାଯାବର

ବୌଦ୍ଧ ପଣ୍ଡିତ ନାଗାର୍ଜୁନଙ୍କ ଠାରେ କେବଳ ଗୋଟିଏ ସଂପତ୍ତି ଥିଲା। ତାହା ହେଉଛି ଏକ କାଠ ତିଆରି ଭିକ୍ଷା ଥାଳ। ଏହା ଜାଣିଲେ ସାମ୍ରାଜ୍ଞୀ, ଯିଏ ଥିଲେ ତାଙ୍କର ଜଣେ ବଡ଼ ପ୍ରଶଂସକ। ସେ ନାଗାର୍ଜୁନଙ୍କ ଠାରୁ କାଠର ଭିକ୍ଷା ଥାଳ ନେଇ ଯାଇ ସୁବର୍ଣ୍ଣ ଥାଳ ଧରେଇ ଦେଲେ, ଯହିଁରେ ମଣିମୁକ୍ତା ମଧ୍ୟ ଲାଗିଥିଲା। ନାଗାର୍ଜୁନ ତାହା ଗ୍ରହଣ କଲେ।
ଏହା ଦେଖି କିଛି ବୌଦ୍ଧ ଭିକ୍ଷୁ ବିରୋଧ କଲେ। ସେମାନେ କହି‌େଲ ଯେ ଜଣେ ଅପରିଗ୍ରହୀ ବା ବୈରାଗୀଙ୍କ ପକ୍ଷରେ ଏହା ଅଶୋଭନୀୟ।

ନାଗାର୍ଜୁନ ଏହା ଶୁଣି ତାଙ୍କ ଅକାଟ୍ୟ ଯୁକ୍ତିରେ କହିଲେ- ସୁନା ଆଡ଼କୁ ଦୌଡ଼ିବା ଯାହା, ସୁନା ଠାରୁ ଦୌଡ଼ି ପଳାଇବା ତାହା। ଗୋଟିକରେ ଥାଏ ଲୋଭ ଓ ଅନ୍ୟଟିରେ ଥାଏ ଭୟ। କିନ୍ତୁ ଦୁଇଟି ଯାକରେ ‘ସୁନା’ର ଚମକ ପ୍ରତି ଏକ ସଚେତ ମନୋଭାବ ଉପସ୍ଥିତ ଥାଏ।

ବିରୋଧୀ ଭିକ୍ଷୁ କହିଲେ- ଆଉ ଆପଣଙ୍କ ଠାରେ ଯାହା ଅଛି, ତାହା କ’ଣ?

ନାଗାର୍ଜୁନ କହିଲେ- କାଠ ଯାହା, ସୁନା ତାହା। ମୋ ଲାଗି ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ଭିକ୍ଷା ପାତ୍ରରେ ପଡୁଥିବା ଭିକ୍ଷା। କେବଳ ସେତିକିରେ ମୋ ଜୀବନ ବଞ୍ଚେ। ଏବଂ ଏହା ମୁଁ ଜାଣିଛି ଏହି ସୁବର୍ଣ୍ଣ ଥାଳ ମୋ ପାଖରୁ ଖୁବ୍‌ ଶୀଘ୍ର ଚାଲିଯିବ। କାରଣ ଏହାକୁ ମୁଁ ଲୋଡୁ ନ ଥିବାରୁ ଲୋଡୁଥିବା କେହି ଏହାକୁ ନେଇଯିବେ। କିନ୍ତୁ ମୋ ଲାଗି କୌଣସି ଫରକ ପଡ଼ିବ ନାହିଁ। କେବଳ ଯାହା ଭିକ୍ଷା ଲାଗି ଆଉ ଗୋଟିଏ ପ‌ାତ୍ରର ଆବଶ୍ୟକତା ପଡ଼ିବ। ‌େତଣୁ ଦାତ୍ରୀଙ୍କୁ କହି ଆସିଛି ଯେ ମୋ ଏହି କାଠ ପାତ୍ରକୁ ରଖିଥିବ। ଫିଙ୍ଗି ଦେବ ନାହିଁ। କାରଣ ମୁଁ ଶୀଘ୍ର ତାକୁ ନେବା ଲାଗି ଫେରିବି।

ସମ୍ବନ୍ଧିତ ଖବର