ସାଧୁଙ୍କ ବିଚାର

କଥାଟିଏ - ଯାଯାବର

ଥରେ ଜଣେ ସାଧୁ ତାଙ୍କର ଚେଲା ସହିତ ଯାଉଥିବା ବେଳେ ଗୋଟିଏ ଗଛ ମୂଳରେ ବିଶ୍ରାମ ନେଲେ। ସେଠାରେ ଚେଲାଟି ରନ୍ଧାରନ୍ଧିର ବ୍ୟବସ୍ଥା କଲା। ସବୁ ସରିବା ପରେ ସେ ସାଧୁଙ୍କୁ ଖାଇବା ଲାଗି ଡାକିଲା ବେଳକୁ ବୁଲା କୁକୁରଟିଏ ଆସି ସେଥିରେ ମୁହଁ ମାରି ଦେଲା। ଏଥିରେ ରାଗି ଯାଇ ଚେଲା ଗୋଟିଏ ପଥର କୁକୁର ଆଡ଼କୁ ମାରିଲା। ତାହା କୁକୁର ଦେହରେ ବାଜିଲା ନାହିଁ ଓ ସେ ପଳାଇଗଲା। ଏବେ ଚେଲାଟି କେବଳ ନିଷ୍ଫଳ କ୍ରୋଧରେ ଦାନ୍ତ କଡ଼ମଡ଼ କରିବାକୁ ଲାଗିଲା।

ଏହା ଦେଖି ସାଧୁ ପଚାରିଲେ- ତୋତେ ବାଧିଲା କି?

ଚେଲା କହିଲା- ଆଉ ବାଧନ୍ତା ନାହିଁ? ମୋର ପରିଶ୍ରମ ବୃଥା ଗଲା। ଆମର ଖାଦ୍ୟ ନଷ୍ଟ ହେଲା। ସବୁ କ୍ଷତି ଆମର ହେଲା, ଅଥଚ ସେ ପଳାଇଗଲା।

ଏହା ଶୁଣି ସାଧୁ କହିଲେ- ଏତିକିରେ କ୍ଷତି ସରିନାହିଁ। କଥା ହେଲା ତୁମେ ଜଣେ ବିଚାରବନ୍ତ ଯୁବକ, ଅଥଚ କୁକୁର ସହିତ ନିଜକୁ ସମତୁଲ କରିଦେଲ। ତାକୁ ପ୍ରହାର କରି ଯେସାକୁ ତେସା କରିବାକୁ ବାହାରିଲ। ସୁତରାଂ, ବିବେଚନାବୋଧ ହରାଇଲ। ଏତେ ରାଗି ଗଲ ଯେ ତୁମ ହୃଦୟରେ ଯେଉଁ କରୁଣା ଥିଲା, ତାହା ନିମିଷକେ ଶୁଖିଗଲା ଏବଂ ତୁମେ ତାକୁ ଦଣ୍ଡ ଦେବାକୁ ବ୍ୟାକୁଳ ହୋଇଗଲ। ତୁମର ମାନସିକ ସ୍ଥିତି ଓ ଉଦ୍‌ବେଳନ ତୁମକୁ ଯେମିତି ଅସ୍ଥିର କରି ପକାଇଲା, ସେ କଥା ବି ତୁମେ ବିଚାର କରିବା ଉଚିତ।

ସମ୍ବନ୍ଧିତ ଖବର