ୟୁଜିକେ ଏହି କଥାଟି କହୁଥିଲେ।

Advertisment

ଥରେ ଜଣେ ଲୋକ ଗୋଟିଏ ପତ୍ରିକାରେ ଏକ ଆଲେଖ୍ୟ ପଢୁଥିଲେ। ତାହା ଥିଲା ଜଣେ ଜାହାଜ କାପ୍ତାନଙ୍କ ଅନୁଭୂତିର କଥା। ଉତ୍ତର ମେରୁ ଅଞ୍ଚଳରେ ଯାଉଥିବା ବେଳେ ତାଙ୍କ ଜାହାଜ ବରଫ ଖଣ୍ଡରେ ଏମିତି ଫସିଗଲା ଯେ ଆଉ ବାହାରି ପାରିଲା ନାହିଁ। କିଛି ଦିନ ଭିତରେ ଜାହାଜରେ ଥିବା ଖାଦ୍ୟପେୟ ସରିବାକୁ ବସିଲା। କିନ୍ତୁ ସେଥି ପ୍ରତି ଜାହାଜର କିଛି ଲୋକଙ୍କ ଧ୍ୟାନ ନ ଥିଲା। ସେମାନଙ୍କ ପାଖରେ ଥିବା ସିଗାରେଟ୍‌ ସରି ଯାଇଥିବାରୁ ସେମାନେ ବ୍ୟସ୍ତ-ବିକଳ ହୋଇଯାଇଥିଲେ। ସୁତରାଂ, ସେମାନେ ଜାହାଜରେ ଝୁଲିଥିବା ଝୋଟ ରଶିକୁ ଜଳାଇ ଧୂଆଁ ଟାଣିଲେ। ଏହା ବିପଜ୍ଜନକ ଥିଲା। କାରଣ ରଶି ଯଦି ଏମିତି ଜଳି ସରିଯାଏ, ତେବେ ଜାହାଜର ସୁରକ୍ଷା ମଧ୍ୟ ବିପଦାପନ୍ନ ହୁଅନ୍ତା। କାପ୍ତାନ ସେମାନଙ୍କୁ ତୀବ୍ର ଭାବେ ମନା କଲେ। କିନ୍ତୁ କି ଦୁର୍ବାର ଆକର୍ଷଣ! ସେମାନେ ଲୁଚି ଲୁଚି ସେହି ଅସନା ଦଉଡ଼ି ଜଳାଇ ଧୂଆଁ ଟାଣିଲେ। କୌଣସିମତେ ରକ୍ଷା ପାଇଯିବା ପରେ କାପ୍ତାନ ଏହି କଥାଟି ଲେଖିଥିଲେ।

ଏହା ପଢୁଥିବା ବ୍ୟକ୍ତିଙ୍କ ହାତରେ ବି ସିଗାରେଟ୍‌ ଜଳୁଥିଲା। ଧୂମପାନ ପ୍ରତି ତାଙ୍କର ମଧ୍ୟ ଅସମ୍ଭବ ଆକର୍ଷଣ ଥିଲା। କିନ୍ତୁ ଲେଖାଟି ପଢ଼ିବା ପରେ ସେ ଭାବିଲେ ମୁଁ ସେହି ଜାହାଜରେ ଥିଲେ କ’ଣ କରିଥାଆନ୍ତି? ମୁଁ ବି କ’ଣ ଏମିତି ଅମଣିଷଙ୍କ ଭଳି ହୋଇଥାଆନ୍ତି?

ସେ ସିଗାରେଟ୍‌ଟି ଲିଭାଇ ଦେଲେ ଓ ଭାବିଲେ ଯଦି ସେମିତି କଥା, ତେବେ ଶତ ଧିକ୍‌ ମୋତେ! ତା’ ପରେ ସେ ସ୍ଥିର କଲେ ଆଉ ସିଗାରେଟ୍‌ ପିଇବେ ନାହିଁ। ସତକୁ ସତ ସେ ଅନେକ ଥର ଚାହିଁ ମଧ୍ୟ ଛାଡ଼ି ପାରୁ ନ ଥିବା ଅଭ୍ୟାସକୁ ସେହି କ୍ଷଣି ଛାଡ଼ିଦେଲେ।

କଥାଟି କହି ସାରି ୟୁଜିକେ କହିଲେ- କୌଣସି ବଦଭ୍ୟାସକୁ ଛାଡ଼ିବା ଲାଗି ଉଦ୍ୟମ କଲେ ସଫଳତା ମିଳି ନ ଥାଏ। କିନ୍ତୁ ଥରେ ତାହାର ପ୍ରକୃତ ସ୍ବରୂପ ବୁଝିଗଲେ ଆଉ ଛାଡ଼ିବାର ଚେଷ୍ଟା ଦରକାର ହୁଏନା। ତାହା ଆପେ ଆପେ ଚାଲିଯାଏ।