ଖ୍ରୀଷ୍ଟାବ୍ଦ ୭୯ର ଅଗଷ୍ଟ ମାସରେ ଭିସୁଭିଅସ ପର୍ବତରେ ଅଗ୍ନି ଉଦ୍‌ଗୀରଣ ହୋଇ ପଂପେଇ ନଗରୀ ହୁତୁହୁତୁ ହୋଇ ଜଳି ଉଠିଲା। ଲୋକେ ପ୍ରାଣ ବିକଳରେ ସହର ବାହାରକୁ ଧାଇଁବାକୁ ଲାଗିଲେ। ସେତିକିବେ‌େଳ ସେମାନେ ଦେଖିଲେ ସହରର ମୁଖ୍ୟ ଛକରେ ଅବିଚଳିତ ଭାବେ ଦଣ୍ଡାୟମାନ ହୋଇ ରହିଛନ୍ତି ସହରର ପହରାଦାର।

Advertisment

ଲୋକେ କହିଲେ- ଏଠାରେ କାହିଁକି ଛିଡ଼ା ହୋଇ ରହିଛ? ଦେଖି ପାରୁ ନାହଁ କି ସାରା ନଗରୀ କେମିତି ଜଳି ଉଠିଛି। କେମିତି ନିଆଁ ସମସ୍ତଙ୍କୁ ଗ୍ରାସ କରିବା ଲାଗି ମାଡ଼ି ଆସୁଛି! ଏଠାରୁ ପଳାଅ।

ପହରାଦାର କହିଲେ- ଯିବି କେମିତି? ମୋ ଦାୟିତ୍ବ ନେବା ଲାଗି ଯେଉଁ ବ୍ୟକ୍ତି ନିଯୁକ୍ତ ସେ ପାହାନ୍ତିଆ ବେଳକୁ ଆସିବେ। ତା’ ପୂର୍ବରୁ ଯିବି କେମିତି?
ଲୋକେ କହିଲେ- ବୁଦ୍ଦୁ, କାଲି ସକାଳକୁ ଏ ସହର ନ ଥିବ। ଜଳି ପାଉଁଶ ହୋଇଯାଇଥିବ। ତୁମେ ଦାୟିତ୍ବ ଦେଲ କି ନ ଦେଲ କିଛି ଅର୍ଥ ରଖେନା। ଏଠୁ ପଳାଅ।

ପହରାଦାର କିନ୍ତୁ ଗଲେ ନାହିଁ। ‌େସ ମନେ ମନେ ଭାବିଲେ- ଜଳି ଯାଉ ସହର। ଏଇ ଘନଘଟା ଭିତରେ ମୁଁ କେମିତି ଆଚରଣ କରୁଛି ତାହା ତ ହେବ ମୋର ଯୋଗ୍ୟତାର ପ୍ରମାଣ। ଯଦି ବଞ୍ଚି ରହିବି ତ ଭଲ କଥା। ମରିଗଲି ତ ଭଗବାନ ଜାଣନ୍ତି।

କହିବା ବାହୁଲ୍ୟ ଯେ ପହରାଦାରଙ୍କ ମୃତ୍ୟୁ ଘଟିଲା। ଆଜି ପଂପେଇ ନଗରୀର ହଜାର ହଜାର ଲୋକଙ୍କୁ କେହି ମନେ ରଖି ନାହାନ୍ତି। କେବଳ ପହରାଦାରଙ୍କ ଚରିତ କାହାଣୀ ହୋଇ ଅମରତ୍ବ ଲାଭ କରିଛି।