ମୁଲ୍ଲା ନସିରୁଦ୍ଦିନଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ଉଜ୍ବେକିସ୍ତାନ ରାଜା ଥରେ କହିଲେ- ମେଣ୍ଢା ପ୍ରକୃତି ବିଚିତ୍ର। ନିଜତ୍ବ ବୋଲି କିଛି ନାହିଁ। ଅନ୍ୟର ଅନୁଧାବନ କରିବା ହେଉଛି ସ୍ବଭାବ।
ମୁଲ୍ଲା କହିଲେ- ମୁଁ କିନ୍ତୁ ଏକମତ ନୁହେଁ ଜାହାଁପନା। ମେଣ୍ଢାମାନଙ୍କର ନିଜତ୍ବ ଅଛି। ଆମେ ଖାଲି ତୁଚ୍ଛାଟାରେ ସେମାନଙ୍କ ବଦନାମ କରୁଛେ।
ରାଜା କହିଲେ- ଏମିତି କାହିଁକି ଭାବୁଛ କୁହ।
ମୁଲ୍ଲା ନସିରୁଦ୍ଦିନ କହିଲେ ଗୋଠ ଯାକ ମେଣ୍ଢା ସିନା ଆଗରେ ଚାଲୁଥିବା ଚାରି ପାଞ୍ଚଟି ମେଣ୍ଢାଙ୍କ ପଛରେ ଚାଲୁଥାଆନ୍ତି, ସବା ଆଗରେ ଚାଲୁଥିବା ସେଇ ଚାରି ପାଞ୍ଚଟି ମେଣ୍ଢା ତ ପୁଣି ନିଜ ବାଟ ନିଜେ ତିଆରି କରି ଚାଲନ୍ତି!
ରାଜା କହିଲେ- ସତ କଥା। କିନ୍ତୁ ସେଇ ଚାରି ପାଞ୍ଚଟି ବୋଧହୁଏ ସବୁଠାରୁ ବୁଦ୍ଧିଆ ମେଣ୍ଢା। ଅନ୍ୟମାନେ ନିର୍ବୋଧ।
ମୁଲ୍ଲା କହିଲେ- କିଏ କହିଲା? ସେଇ ମେଣ୍ଢାଗୁଡ଼ିକୁ ଦଳରୁ ବାହାର କରି ଦିଅନ୍ତୁ, ଦେଖିବେ ଆଉ ଚାରି ପାଞ୍ଚଟି ମେଣ୍ଢା ସେମାନଙ୍କ ଦାୟିତ୍ବ ନେବାକୁ ବାହାରିବେ। ସବା ଶେଷରେ ଯେଉଁ ଗୋଟିଏ ମେଣ୍ଢା ବଳି ପଡ଼ିବ, ତାକୁ ବି ବାହାରେ ଛାଡ଼ିେଦଲେ ସେ ନିଜର ବାଟ ତିଆରି କରିବ।
ରାଜା କହିଲେ- ତେବେ ମେଣ୍ଢାମାନେ କାହିଁକି ଆଗ ଚାରି ପାଞ୍ଚଟିଙ୍କ ପଛରେ ଗୋଡ଼ାଇ ଥାଆନ୍ତି।
ମୁଲ୍ଲା କହିଲେ- ଯଦି ନେତା ଅଛନ୍ତି, ତେବେ ମୁଣ୍ଡ ଖଟାଇବାର ଦରକାର କ’ଣ? ସେମାନଙ୍କ ପଛରେ ଚାଲିବା ବୁଦ୍ଧିମାନୀ।