ଦାନ ଲାଗି ମନ

କଥାଟିଏ - ଯାଯାବର

ଜଣେ ଅତ୍ୟନ୍ତ ଦାନୀ ଜମିଦାର ମୃତ୍ୟୁ ପରେ ସ୍ବର୍ଗକୁ ଯାଇ ଦେଖିଲେ ଯେ ତାଙ୍କ ଅଟ୍ଟାଳିକା ସାମନାରେ ଅତି ଦଦରା କୁଡ଼ିଆ କରି ରହୁଥିବା ଭିକ୍ଷୁକଟି ସେଠି ବସିଛି। କିଛି ଦିନ ପୂର୍ବରୁ ତା’ର ମୃତ୍ୟୁ ଘଟିଥିଲା।

ଜମିଦାର ଦେବଦୂତଙ୍କୁ ପଚାରିଲେ- ସେ ଏଠି କାହିଁକି?

ଦେବଦୂତ କହିଲେ- ଜୀବନ ଯାକ ଦାନ କରିଥିବା କାରଣରୁ ସେ ସବୁ ଦିନ ଲାଗି ଏଠାରେ ରହି‌େବ। ଆପଣ ମାତ୍ର କିଛି ଘଣ୍ଟା ଏଠାରେ କାଟି ନର୍କକୁ ଯିବେ।

ଜମିଦାର ଉଚ୍ଚ ସ୍ବରରେ ଏହାର ପ୍ରତିବାଦ କରି କହିଲେ- ମୁଁ ଏତେ ବଡ଼ ଦାନୀ ଅଥଚ ମୋ ଲାଗି ଏମିତି ଅବିଚାର। ଆଉ ଏ ଭିକ୍ଷୁକ ଯିଏ ଠିକ ଭାବେ ଖାଇବାକୁ ପାଉ ନ ଥିଲା, ସେ ପୁଣି କି ଦାନ କଲା ଯେ ସ୍ବର୍ଗରେ ରହିବ?

ଦେବଦୂତ କହିଲେ- ତା’ ପାଖରେ ଦାନ କରିବାକୁ ଧନ ନ ଥିଲା ସତ, ସେ କିନ୍ତୁ ସର୍ବଦା ପ୍ରେମ ଦାନ କରି ଚାଲିଥିଲା। ନିଜେ ରହିବା ଲାଗି ତା’ ପାଖରେ ଠିକଣା ଆଶ୍ରୟ ନ ଥିଲା, କିନ୍ତୁ ଅନେକ ପଥଶ୍ରାନ୍ତଙ୍କୁ ‌ସେହି କୁଡ଼ିଆରେ ଆଶ୍ରା ଦେଉଥିଲା। ଘୋର ବର୍ଷଣ ରାତିରେ ନିଜେ ବାହାରେ ରହି ବାହାରେ ବୁଲୁଥିବା ଜନ୍ତୁଙ୍କୁ ମଧ୍ୟ ଘରେ ଆଶ୍ରୟ ‌ଦେଉଥିଲା। ତା’ ପାଖରେ ତୁମ ଭଳି ବିଶାଳ ପ୍ରାସାଦ ନ ଥିଲା, କିନ୍ତୁ ତା’ର ହୃଦୟର ଦ୍ବାର ସର୍ବଦା ଖୋଲା ରହୁଥିଲା। ତୁମେ କିନ୍ତୁ ବିଭିନ୍ନ ଉପାୟରେ ଧନ ଉପାର୍ଜନ କରୁଥିଲ ଏବଂ ମନକୁ ଗ୍ଳାନି ମୁକ୍ତ କରିବାକୁ ଦାନ ଦେଉଥିଲ। ସେଥି ଲାଗି ମନରେ ଗର୍ବ ବି ବହନ କରୁଥିଲ। ଏହା ନିକୃଷ୍ଟ ଦାନରେ ଗଣା। ମନେ ରଖ ଦାନ ଲାଗି ଧନର ଲୋଡ଼ା ନ ଥାଏ। ଲୋଡ଼ା ଥାଏ ମନର। ମନ ଥିଲେ ତୁମେ ବହୁତ କିଛି ଦାନ କରିପାରିବ।

ସମ୍ବନ୍ଧିତ ଖବର