ସନ୍ନ୍ୟାସର ମର୍ମ

କଥାଟିଏ - ଯାଯାବର

ରାଜା ବିମ୍ବିସାର ମହାବୀର ଜୈନଙ୍କୁ ଦର୍ଶନ କରିବାକୁ ଦଳବଳ ସହ ଯାଉଥାଆନ୍ତି। ବାଟରେ ସେ ଦେଖିଲେ ତାଙ୍କ ପରମ ମିତ୍ର ରାଜା ପ୍ରସନ୍ନ ମହାବୀରଙ୍କ ଦ୍ବାରା ଦୀକ୍ଷିତ ହୋଇ ଜଣେ ଜୈନ ସାଧୁ ଭାବେ ତପସ୍ୟାରେ ବସିଛନ୍ତି। ବିମ୍ବିସାର ତାଙ୍କ ଧ୍ୟାନରେ ବାଧା ଦେବାକୁ ଚାହିଁଲେ ନାହିଁ। ତେବେ ପ୍ରସନ୍ନଙ୍କ ସାଧନା ଆଗରେ ମୁଣ୍ଡ ନୁଆଇଁ ଦେଲେ।

ଘୋର ଜଙ୍ଗଲ ଭିତରେ ମହାବୀରଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ସେ ମହାବୀରଙ୍କୁ ପ୍ରଣିପାତ କରି କହିଲେ- ମହାଭାଗ, ମୁଁ ଜଣେ ଅଧମ ସଂସାରୀ। ମୋ ମିତ୍ର ପ୍ରସନ୍ନ ଏଭଳି ସାଧନାରତ ରହିବା ମୋତେ ବିସ୍ମିତ କରିଛି। ସେ ନିଶ୍ଚୟ ମୃତ୍ୟୁ ପରେ ସ୍ବର୍ଗ ଲାଭ କରିବେ।

ମହାବୀର କହିଲେ- ଏବେ ସେ ଯେଉଁ ସ୍ଥିତିରେ ଅଛନ୍ତି ସେ ସ୍ବର୍ଗଲାଭ କରିବେ ଅବଶ୍ୟ। କିନ୍ତୁ ତୁମେ ଯେତେବେଳେ ତାଙ୍କ ଆଗରେ ପ୍ରଣାମ କରୁଥିଲ, ସେତିକି ବେଳେ ସେ ମୃତ୍ୟୁବରଣ କରିଥିଲେ ନିଶ୍ଚୟ ନର୍କରେ ପଡ଼ିଥାଆନ୍ତେ।

ବିମ୍ବିସା‌ର ଚମକି ପଡ଼ି କାରଣ ଜାଣିବାକୁ ଚାହିଁଲେ।

ମହାବୀର କହିଲେ- କାରଣ, ତୁମ ପଟୁଆରର ସବା ପ୍ରଥମେ ଥିବା ସୈନିକ ପ୍ରସନ୍ନଙ୍କୁ ଦେଖି ନିଜକୁ ନିଜେ କହିଦେଲା- ଅପଦାର୍ଥ ରାଜା, ମୁନି ହୋଇଛି! ଏଣେ ତା’ର ନାବାଳକ ପୁତ୍ରକୁ ଠକି ପାତ୍ରମନ୍ତ୍ରୀମାନେ ରାଜସଂପଦକୁ ଲୁଟିବାରେ ବ୍ୟସ୍ତ! ଏଇ କଥା ଯେମିତି ପ୍ରସନ୍ନଙ୍କ କାନରେ ବାଜିଲା, ଆଖି ବୁଜି ଧ୍ୟାନରେ ବସିଥିବା ସତ୍ତ୍ବେ ସେ କ୍ରୋଧ ଜର୍ଜର ହୋଇ ମନ ଭିତରେ ତରବାରିଟିଏ ଧରି ଶତ୍ରୁମାନଙ୍କୁ ବଧ କରିବାକୁ ବାହାରି ପଡ଼ିଲେ। ଠିକ ସେତିକି ବେଳେ ତୁମେ ତାଙ୍କୁ ପ୍ରଣାମ କରୁଥିଲ। ଅବଶ୍ୟ ପ୍ରସନ୍ନ ତତ୍‌କ୍ଷଣାତ୍‌ ନିଜକୁ ସମ୍ଭାଳି ନେଇ ପୁଣି ଧ୍ୟାନସ୍ଥ ହୋଇଗଲେ।

ବିମ୍ବିସାର ଏହା ଶୁଣି ବୁଝିପାରିଲେ ଯେ ଅନ୍ତଃକରଣରେ ଶୁଦ୍ଧତା ଆସିଲେ ସନ୍ନ୍ୟାସର ସବୁ ଉଦ୍ୟମ ବୃଥା।

ସମ୍ବନ୍ଧିତ ଖବର