ଅତ୍ୟନ୍ତ କୃଚ୍ଛ୍ର ସା‌ଧନା କରି ମଧ୍ୟ କୌଣସି ଫଳ ନ ପାଇ କ୍ଳାନ୍ତଶ୍ରାନ୍ତ ହୋଇ ପଡ଼ିଥିବା ଗୌତମ ଏକ ପୋଖରୀ କୂଳରେ ବସିଥିବା ବେଳେ ଏକ ବିଚିତ୍ର ଦୃଶ୍ୟ ଦେଖିଲେ। ସେ ଦେଖିଲେ ଯେ ସେହି ପୋଖରୀରେ ଗୋଟିଏ ଗୁଣ୍ଡୁଚିର ଶାବକ ପଡ଼ି ଯାଇଥିବାରୁ ତାକୁ ରକ୍ଷା କରିବା ଲାଗି ମା’ ଗୁଣ୍ଡୁଚିମୂଷାଟି ବାରମ୍ବାର ପାଣିରେ ପଶି ନିଜକୁ ଓଦା କରିବା ପରେ କୂଳର ବାଲିରେ ଗଡ଼ି ତାକୁ ଶୁଖାଇ ପୁଣି ପାଣିରେ ପଶୁଛି।

Advertisment

ଏହାକୁ କିଛି ସମୟ ଲକ୍ଷ୍ୟ କରିବା ପରେ ଗୌତମ ବୁଝି ପାରିଲେ ଯେ ନିଜ ଛୁଆକୁ ରକ୍ଷା କରିବା ଲାଗି ଗୁଣ୍ଡୁଚିମୂଷାଟି ପୋଖରୀକୁ ଶୁଖାଇ ଦେବାକୁ ଚାହୁଛି। ସେ ତା’ର ଉଦ୍ୟମରେ ଥକି ଯାଉ ନାହିଁ।

ଏହା ଦେଖିବା ପରେ ଗୌତମ ଉଠି ଛିଡ଼ା ହେଲେ ଏବଂ ପାଣିରୁ ଗୁଣ୍ଡୁଚିମୂଷାର ଶାବକକୁ ଉଦ୍ଧାର କଲେ। କିନ୍ତୁ ଏହି ଘଟଣାରେ ତାଙ୍କର ଏକ ଭାବାନ୍ତର ଆସିଲା। ସେ ଭାବିଲେ ପୋଖରୀକୁ ଶୁଷ୍କ କରିଦେବାର ଉଦ୍ୟମରେ ଗୁଣ୍ଡୁଚିମୂଷାଟି ବିଫଳ ହେଲା, କିନ୍ତୁ ତା’ର ଏ ପ୍ରୟାସ ତ ଗୌତମଙ୍କ ଦୃଷ୍ଟି ଆକର୍ଷଣ କରି ତା’ର ଛୁଆକୁ ବଞ୍ଚାଇବାରେ ସଫଳ ହେଲା।

ତେଣୁ ନିଜ ସାଧନା ବିଫଳ ହେଉଛି ବୋଲି ଭାବି ଭାଙ୍ଗି ପଡ଼ିଲେ ହେବ ନାହିଁ। ଅନ୍ୟ କିଛି ଉପାୟରେ ସିଦ୍ଧି ମିଳିପାରେ। ପରବର୍ତ୍ତୀ କାଳରେ ତାହା ହିଁ ହେଲା। ଗୌତମ ସାଧନାରତ ରହି ବୁଦ୍ଧତ୍ବ ଲାଭ କଲେ।