ଜଣେ ରାଜାଙ୍କ ମନରେ ଶତ୍ରୁମାନଙ୍କୁ ନେଇ ଏମିତି ଭୟ ପଶିଗଲା ଯେ ସେ ପ୍ରାସାଦର ସବୁ ଯାକ ଦ୍ବାର ସ୍ଥାୟୀ ଭାବେ ବନ୍ଦ କରି ଦେବାକୁ ଆଦେଶ ଦେଲେ। କେବଳ ଗୋଟିଏ ଦ୍ବାର ରହିଲା ଯିବା ଆସିବା କରିବା ଲାଗି, ଯେଉଁଠି ଏକ ଲୌହ କବାଟ ଲାଗିଲା। ତାହା ସର୍ବଦା ବନ୍ଦ ରହିଲା ଏବଂ ଜଣେ ଅତି ବିଶ୍ବସ୍ତ ପ୍ରହରୀ ତାକୁ ଜଗି ରହିଲା।
ଏହା ପରେ ରାଜା ଖୁସି ହୋଇ ଭାବିଲେ ଯେ ସେ ଏବେ ବାହ୍ୟ ଶତ୍ରୁଙ୍କ ଠାରୁ ସଂପୂର୍ଣ୍ଣ ସୁରକ୍ଷିତ। ବିପଦର ଆଶଙ୍କା ହେଲେ ଭିତରୁ ବାଟ କିଳି ଦେଲେ କଥା ଶେଷ।
ଏ କଥା ଦେଖିଲେ ମନ୍ତ୍ରୀ। ବୃଦ୍ଧ ମହାମନ୍ତ୍ରୀ ଅତି ଜ୍ଞାନୀ ଥିଲେ ଏବଂ ରାଜା ତାଙ୍କୁ ଗୁରୁତୁଲ୍ୟ ମାନ୍ୟ କରୁଥିଲେ। ମନ୍ତ୍ରୀ ଏହା ଦେଖି ତାଙ୍କୁ କହିଲେ- ମହାରାଜ, ଆପଣ ଏକ ମସ୍ତବଡ଼ ଭୁଲ୍ କରିବାକୁ ଯାଉଛନ୍ତି। ଯେଉଁ ଦ୍ବାରକୁ ବନ୍ଦ ରଖି ଆପଣ ନିଜେ ସୁରକ୍ଷିତ ରହିବେ ବୋଲି ଭାବୁଛନ୍ତି, ତାହାର ମାଲିକାନା ଯେ ପର୍ଯ୍ୟନ୍ତ ଆପଣଙ୍କ ହାତରେ ଅଛି ସେେତବେଳ ଯାଏ ତାହା ସମ୍ଭବ। କିନ୍ତୁ ଯଦି ସେହି ଗୋଟିଏ ଦ୍ବାରକୁ କୌଣସି ଶତ୍ରୁ ଅକ୍ତିଆର କରିନିଅନ୍ତି, ତେବେ ଆପଣ ଏହି ପ୍ରାସାଦରେ ସୁରକ୍ଷିତ ନ ହୋଇ ବନ୍ଦୀ ହୋଇଯିବେ ଏବଂ ଅଚିରେ ପରିବାର ସହିତ ବିନାଶ ଯିବେ।
ରାଜା ଚମକି ପଡ଼ିଲେ ଏବଂ ଭାବିଲେ- ସତେ ତ! ମୁଁ ଏ ବିଷୟରେ ଭାବି ନ ଥିଲି।
ମନ୍ତ୍ରୀ କହିଲେ- ଆପଣ ବିକଳ୍ପ ଭାବେ ଏକ ଗୁପ୍ତ ଦ୍ବିତୀୟ ଦ୍ବାରର ବ୍ୟବସ୍ଥା ସର୍ବଦା କରିବା ଉଚିତ। ପ୍ରକୃତରେ ଏହି ପ୍ରାସାଦ ନୁହେଁ, ବରଂ ସେହି ଦ୍ବାର ହିଁ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବ।