ରାକ୍ଷସ ପ୍ରକୃତି

କଥାଟିଏ - ଯାଯାବର

ରାକ୍ଷସ କୁଳରେ ଜନ୍ମ ନେଇଥିବା ଗୋଟିଏ ପିଲାର ମନରେ ଭାବାନ୍ତର ଆସିଲା। ସେ ମନେ ମନେ ଭାବିଲା ଯେ ଏଣିକି ରାକ୍ଷସ ପ୍ରକୃତି ଛାଡ଼ି ମଣିଷ ପ୍ରକୃତି ଧରିବ। ଜଙ୍ଗଲରେ ନ ରହି ମଣିଷମାନଙ୍କ ବସତିରେ ରହିବ। ରାକ୍ଷସ କୁଳରୁ ଧାପେ ଉପରକୁ ଉଠିବ। ଏ କଥା ସେ ତାର ମା’କୁ କହିଲା। ରାକ୍ଷସ ପିଲାର ମା’ କହିଲା- ତୁ ବାବୁ ସେମିତି ଚିନ୍ତା କରନା। ଆମେ ଯେମିତି ଅଛେ ଭଲ ଅଛେ।

ରାକ୍ଷସ ପିଲା କିନ୍ତୁ ଛାଡ଼ିବା ଜନ୍ତୁ ନୁହେଁ। ସେ ଯାଇ ମଣିଷ ବସତିରେ ପହଞ୍ଚିଗଲା। ତା’ର ବିକଟାଳ ଚେହେରା ଦେଖି ସମସ୍ତେ ଡରିଗଲେ ଏବ˚ ତାକୁ ବସତିରେ ସ୍ଥାନ ଦେବାକୁ ମନା କଲେ। ରାକ୍ଷସ ପିଲା ବାରମ୍ବାର ଅନୁରୋଧ କରିବାରୁ ବସତି ବାହାରେ ରହିବାକୁ ସ୍ଥାନ ଦେଲେ। କିନ୍ତୁ ତା’ ଉପରୁ ଲୋକଙ୍କ ସନ୍ଦେହ ଗଲା ନାହିଁ। ତା’ ନାମରେ ବହୁତ ଗୁଜବ ଉଡ଼ିଲା। ଯାହା ଅଘଟଣ ହେଲା ଲୋକେ ସେଥି ଲାଗି ତାକୁ ସନ୍ଦେହ କଲେ। ଦିନେ ଗୋଟିଏ ଗୁଜବକୁ କାନ ଦେଇ ବସତିର ଲୋକେ ଏମିତି ରାଗି ଗଲେ ଯେ ରାକ୍ଷସ ପିଲାକୁ ପିଟି ପିଟି ଦରମରା କରି ପକାଇଲେ। ରାକ୍ଷସ ପିଲା ଚାହିଁଥିଲେ ତା’ର ଅମାପ ବଳରେ ପ୍ରତିରୋଧ କରିପାରିଥାଆନ୍ତା। କିନ୍ତୁ ସେ ସହିଗଲା।

ସେ ଦରମରା ହୋଇ ପଡ଼ିଥିବା ଖବର ପାଇ ତା ମା’ ଦୌଡ଼ି ଆସି ପହଞ୍ଚିଗଲା। ପିଲାକୁ ସାଷ୍ଟମ କରି କହିଲା- ଏବେ ବି ତୁ ବୁଝିପାରୁନାହୁଁ? ତୁ ଯେଉଁ ମଣିଷଙ୍କ ଭଳି ହେବାକୁ ଚାହୁଁଛୁ ସେଇ ମଣିଷମାନେ ପରା ରାକ୍ଷସ ପ୍ରକୃତି ଛାଡ଼ି ପାରି ନାହାନ୍ତି। ତେଣୁ ମୋ କଥା ମାନି ମୋ ସହିତ ଚାଲ।

ରାକ୍ଷସ ପିଲା ଏଥର ମା’ ସହିତ ନିଜ ବସତିକୁ ଫେରିଗଲା।

ସମ୍ବନ୍ଧିତ ଖବର