ବିଚରା ମୁଲ୍ଲା

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ ମରିଗଲେ। ସେ ଅତି ଭଲ ଲୋକ ଥିବାରୁ ତାଙ୍କ ଆତ୍ମା ସ୍ବର୍ଗକୁ ଗଲା। କିନ୍ତୁ ସ୍ବର୍ଗରେ ଗୋଟିଏ ସମସ୍ୟା ଦେଖାଗଲା। ମର୍ତ୍ତ୍ୟରେ ସେ ଗୋଟିଏ ବି ଖରାପ କାମ କରି ନ ଥିବାରୁ ତାଙ୍କୁ କ’ଣ କରାଯିବ ସେ ନେଇ କିଛି ନିୟମ ତିଆରି ହିଁ ହୋଇ ନ ଥିଲା। ପୃଥିବୀରୁ ଆସୁଥିବା ଲୋକେ କିଛି ନା କିଛି ଖରାପ କାମ କରୁଥିବାରୁ ସର୍ବନିମ୍ନ ଗୋଟିଏ ଖରାପ କାମ କରିଥିବା ଲୋକଙ୍କୁ ସ୍ବର୍ଗର ସବୁଠାରୁ ବିଳାସପୂର୍ଣ୍ଣ ସବା ଉପର ମହଲାରେ ରହିବାକୁ ଦିଆଯାଉଥିଲା। ଏବେ ମୁଲ୍ଲାଙ୍କ ଲାଗି କ’ଣ କରାଯିବ? ତେଣୁ, ଈଶ୍ବର ମୁଲ୍ଲାଙ୍କୁ ଘଣ୍ଟାଟିଏ ଲାଗି ଆଉ ଥରେ ପୃଥିବୀକୁ ପଠାଇବାକୁ ସ୍ଥିର କରି କହି‌େଲ- ମୁଲ୍ଲା, ଏଇ ଘଣ୍ଟାକ ଭିତରେ ଅନ୍ତତଃ ଗୋଟିଏ ହେଲେ ଖରାପ କାମ କରି ଆସ।

ମୁଲ୍ଲା ପୃଥିବୀକୁ ଆସିବା ପରେ କ’ଣ ଖରାପ କାମ କରିବେ ବୋଲି ଭାବି ଭାବି ପ୍ରଥମ ଅଧଘଣ୍ଟାଏ ଧନ୍ଦି ହେଲେ। ସେ ଅତି ଭଲ ଲୋକ ଥିବାରୁ କୌଣସି ଖରାପ କାମ କରିବା ବି ତାଙ୍କ ଲାଗି ଅସମ୍ଭବ ଥିଲା। ଶେଷରେ ବାଧ୍ୟ ହୋଇ ନିଷ୍ପତ୍ତି ନେଲେ ଯେ ପଡ଼ିଶ‌ା ଘରେ ରହୁଥିବା ବୃଦ୍ଧ ଦଂପତି ଯେଉଁ ବଡ଼ ଫୁଲକୁଣ୍ଡକୁ ବହୁତ ଭଲ ପାଆନ୍ତି, ତାକୁ ଯାଇ ଭାଙ୍ଗି ପକାଇବେ।

ପୃଥିବୀରେ ତାଙ୍କ ଲାଗି ଆଉ ମାତ୍ର ପାଞ୍ଚ ମିନିଟ୍ ବାକି ଥିଲା। ମୁଲ୍ଲା ତରବର ହୋଇ ଗୋଟିଏ ହାତୁଡ଼ିରେ ପିଟି ପିଟି ସେଇ କୁଣ୍ଡକୁ ଭାଙ୍ଗି ପକାଇଲେ। ସେତକ କରି ଶାନ୍ତିରେ ନିଃଶ୍ବାସ ମାରି ବାହାରି ଆସିବା ବେଳକୁ ପଛରୁ ଶୁଣିଲେ ପଡ଼ିଶା ଘରର ବୃଦ୍ଧ କହୁଛନ୍ତି- ଧନ୍ୟବାଦ ମୁଲ୍ଲା। ଭଲ କାମଟିଏ କଲ। ଏଇ କୁଣ୍ଡରେ ପୋତି ଥିବା ଟଙ୍କା‌ ବାକ୍ସ କେମିତି ବାହାର କରିବି ବୋଲି ଭଗବାନଙ୍କୁ ଡାକୁଥିଲି। ଯାହାହେଉ ସେ ତମକୁ ପଠାଇ ଦେଲେ।

ସମ୍ବନ୍ଧିତ ଖବର