ଥରେ ଦେବଦେବ ମହାଦେବ ଇଚ୍ଛା କଲେ ମର୍ତ୍ତ୍ୟକୁ ଯିବେ ଏବଂ ଦେଖିବେ ଲୋକେ କ’ଣ କହୁଛନ୍ତି! ତେଣୁ ସେ ଗୋଟିଏ ଏମିତି ଜାଗାରେ ଓହ୍ଲାଇଲେ, ଯେଉଁଠି ଶିବ ମନ୍ଦିରଟିଏ ଥିଲା ଏବଂ ଲୋକେ ଶିବଙ୍କ ଭକ୍ତ ଥିଲେ। ମନ୍ଦିର ନିକଟସ୍ଥ ଏକ ବୃକ୍ଷ ମୂଳରେ ସେ ଅଭୟ ମୁଦ୍ରାରେ ଛିଡ଼ା ହେେଲ।
କିଛି ସମୟ ପରେ ସେଠାରେ ଲୋକ ଜମିଲେ। ସେମାନେ ପଚାରିଲେ- ତୁମେ କିଏ?
ଶିବ ନିଜ ପରିଚୟ ଦେଇ କହିଲେ- ମୁଁ ଶିବ। ଚିହ୍ନି ପାରୁନାହଁ?
ଲୋକେ ହସିଲେ ଏବଂ କହିଲେ- ୟେ ପୁଣି ଶିବ? ୟେ ଗୋଟାଏ ମସ୍ତବଡ଼ ଠକ। ଆମେ ଶିବ ଭକ୍ତ ବୋଲି ଜାଣି ତାଙ୍କ ବେଶରେ ଆସି ଆମକୁ ଠକିବାର ଚେଷ୍ଟା କରୁଛି। ଏପରିକି ମନ୍ଦିରର ପୂଜକ ସେଠାରେ ଜୁଟି ସେହି କଥା କହିଲେ ଏବଂ ଶିବଙ୍କୁ ଶୀଘ୍ର ସେଠାରୁ ଚାଲିଯିବା ଲାଗି ତାଗିଦ କଲେ।
ମହାପ୍ରଭୁ ମୁହ୍ୟମାନ ହୋଇ ସେଠାରୁ ଯାଇ ଏକ ନିକାଂଚନ ସ୍ଥାନରେ ଗଛ ମୂଳରେ ବସିଲେ।
ଏହି ସମୟରେ ଗୋଟିଏ ଛୋଟ ପିଲା ସେହି ବାଟେ ଯାଉଥିଲା। ଶିବଙ୍କୁ ସେ ଦେଖି ପାଟି କରି ଘରକୁ ଦୌଡ଼ିଲା। ସେ କହୁଥିଲା- ମା’ ଶିବ ମହାପ୍ରଭୁଙ୍କୁ ଦେଖିଲି! ଶିବ ମହାପ୍ରଭୁଙ୍କୁ ଦେଖିଲି।
ତା’ ମା’ ପୁଅ ଠାରୁ ସବୁ ଶୁଣିଲେ ଓ କହିଲେ- ବାବୁରେ ସେଠାକୁ ଯିବୁ ନାହିଁ। ସେ ପିଲା ଧରା ହୋଇଥିବ ଅବା!
ସେ ଦିନ ରାତିରେ ମନ୍ଦିରର ପୂଜକ ସ୍ବପ୍ନରେ ଦେଖିଲେ ଶିବ ମହାପ୍ରଭୁ କହୁଛନ୍ତି- ତୁମ ସହରକୁ ଆସିଥିଲି। ସମସ୍ତେ ଦେଖିଲ ଅଥଚ କେବଳ ଜଣେ ମାତ୍ର ମୋତେ ଚିହ୍ନି ପାରିଲା। ସେ ଛୋଟ ପିଲା ହୋଇଥିବାରୁ ତା’ର ମନ ସରଳ ଥିଲା, ତେଣୁ ସେ ଚିହ୍ନିଲା। ମନ ସରଳ ନ ଥିଲେ ଭଗବାନଙ୍କୁ ଚିହ୍ନିବ କେମିତି? ସେ ପିଲା ବଡ଼ ହୋଇଗଲା ପରେ ଚିହ୍ନିବ କି ନାହିଁ ସନ୍ଦେହ।