ଶ୍ରେଷ୍ଠ ଗୁରୁ

କଥାଟିଏ - ଯାଯାବର

ଜଣେ ରାଜା ତାଙ୍କର ପୁତ୍ରକୁ ‌ନେଇ ଜଣେ ଗୁରୁଙ୍କ ନିକଟକୁ ଗଲେ ଏବଂ ଶିକ୍ଷା ଲାଗି ତାଙ୍କ ଠାରେ ଛାଡ଼ି ଦେଇ ଆସିଲେ। ଦଶ ବର୍ଷ ପରେ ରାଜପୁତ୍ରଙ୍କ ଶିକ୍ଷା ସମାପ୍ତ ହେବା ଉତ୍ତାରେ ରାଜା ତାଙ୍କୁ ଆଣିବାକୁ ଆଶ୍ରମକୁ ଗଲେ ଏବଂ ରାଜପୁତ୍ରଙ୍କୁ ଅତ୍ୟନ୍ତ ସୁଯୋଗ୍ୟ କରି ଗଢ଼ି ଦେଇଥିବାରୁ କୃତଜ୍ଞତା ଜ୍ଞାପନ କଲେ।

ଏହାର ପ୍ରତ୍ୟୁତ୍ତରରେ ଗୁରୁ ମଧ୍ୟ ରାଜାଙ୍କୁ କୃତଜ୍ଞତା ଜଣାଇ କହିଲେ- ଆପଣଙ୍କ ସନ୍ତାନକୁ ମୋ ପାଖରେ ଛାଡ଼ିଥିବା ହେତୁ ମୁଁ ମଧ୍ୟ କୃତଜ୍ଞତା ଜଣାଉଛି। କାରଣ ତାକୁ ଗଢ଼ିବା ଭିତରେ ମୁଁ ମଧ୍ୟ କିଛିଟା ଗଢ଼ି ହୋଇଯାଇଛି।

ରାଜାଙ୍କ ମନ ପୂରିଗଲା। ସେ ପଚାରିଲେ- ମହାତ୍ମା, ରାଜପୁତ୍ର କ’ଣ ସତରେ ଏତେ ବିଚକ୍ଷଣ ଥିଲେ ଯେ ଆପଣଙ୍କୁ ଗଢ଼ି ଦେଲେ।

ଗୁରୁ କିଛି ସମୟ ନିରବ ରହି କହିଲେ- ମହାରାଜ, ଗୁରୁମାନେ ସେମାନଙ୍କର ପ୍ରତ୍ୟେକ ଶିଷ୍ୟଙ୍କ ଦ୍ବାରା କେଉଁ ନା କେଉଁ ରୂପେ ଗଢ଼ି ହେଉଥାଆନ୍ତି। ତାହା ତ ଭିନ୍ନ କଥା। କିନ୍ତୁ ଆପଣଙ୍କ ପୁତ୍ର କଥା ଅଲଗା। ସେ ଏଭଳି ନିର୍ବୋଧ ଥିଲା ଯେ ମୋ ଶିକ୍ଷା ଦାନ ଲାଗି ସେ ଏକ ଆହ୍ବାନ ସୃଷ୍ଟି କଲା। ତାକୁ ଯୋଗ୍ୟ କରିବା ଲାଗି ମୁଁ ଯେଉଁ ଉପାୟ ଓ କୌଶଳ ଶିଖିଲି, ତାହା ମୋ ଲାଗି ମଧ୍ୟ ଜ୍ଞାନର ଉଦୟ ଥିଲା। ଏବେ ମୁଁ ନିଜକୁ ଆହୁରି ସମର୍ଥ ମନେ କରୁଛି।

ମହାରାଜ ଏହା ଶୁଣିବା ପରେ ହାତ ଯୋଡ଼ି କହିଲେ- ମହାତ୍ମା, ମିଛରେ ଆପଣଙ୍କୁ ଏ ରାଜ୍ୟର ଶ୍ରେଷ୍ଠ ଗୁରୁ ବୋଲି ବିଚାର କରାଯାଏ ନାହିଁ।

ସମ୍ବନ୍ଧିତ ଖବର