ଦିନେ ସୁଫି ସନ୍ଥ ହସନ ପ୍ରାର୍ଥନା କରିବା ପରେ ତାଙ୍କୁ ଜଣେ ପଚାରିଲେ- ହସନ ଆପଣ କ’ଣ ପ୍ରାର୍ଥନା କରନ୍ତି?

Advertisment

ହସନ କହିଲେ- ମୁଁ ଈଶ୍ବରଙ୍କୁ ଏହା କହେ ଯେ ପରମାତ୍ମା ମୋତେ ଏଭଳି କୌଣସି ଗୋଟିଏ ବି ଦିନ ନ ଦିଅ, ଯେଉଁ ଦିନ ଦୁଃଖ ନ ଥିବ!

ଏହା ଶୁଣି ହସନଙ୍କ ଶିଷ୍ୟମାନେ କହିଲେ- ଏ କି ପ୍ରାର୍ଥନା? ଆମେମାନେ ତ ଠିକ ଏହାର ବିପରୀତଟି ପ୍ରା‌ର୍ଥନା କରୁ!

ହସନ କହିଲେ- ମୁଁ କିନ୍ତୁ ଦୁଃଖର ଉପକାର କିଭଳି ଭୁଲିଯିବି? ଯେତେବେଳେ ହସନ ସୁଖ ନିଦ୍ରାରେ ଶୋଇ ରହିଥିଲା, ପରମେଶ୍ବରଙ୍କୁ ଭୁଲି ଯାଇଥିଲା। ସେତିକି ବେଳେ ତ ଦୁଃଖ ତା’ର ନିଦ ଭାଙ୍ଗିଥିଲା। ଦୁଃଖ ତ ହସନଙ୍କୁ ପରମାତ୍ମାଙ୍କ ନିକଟତର କରାଇଥିଲା। ଆଜି କେମିତି ମୁଁ ଦୁଃଖର ଉପକାର ଭୁଲିଯିବି? ସୁଖ କେମିତି ଜଣକୁ ପରମେଶ୍ବରଙ୍କ ବାଟରୁ ବଣା କରାଏ ତାହା କ’ଣ ତୁମେମାନେ ଜାଣିନାହଁ? ତେଣୁ ମୁଁ ପରମପିତାଙ୍କୁ ଗୋଟିଏ ପ୍ରାର୍ଥନା କରେ ଯେ ମୋତେ ଏମିତି କିଛି ଦିଅନାହିଁ ଯେ ମୁଁ ତୁମକୁ ବି ଭୁଲିଯିବି!

ହସନ ତାଙ୍କ ଜୀବନରେ ବହୁତ କିଛି ହରାଇଥିଲେ। ଅନେକ କଷଣ ଭୋଗିଥିଲେ। ଏବଂ ସେଥି ଲାଗି ସେ ସର୍ବଦା କହୁଥିଲେ- ମୁଁ ପରମେଶ୍ବରଙ୍କ ସହିତ ସିଧା ସଂପର୍କରେ ଅଛି। ସେ ମୋ କଥା ଶୁଣୁଛନ୍ତି। ଦୁଃଖକୁ ସହିବାରେ ଓ ତାକୁ ପରମ ସୌଭାଗ୍ୟ ମଣିବାର ଏ ଉଦାହରଣ ଜଗତ୍‌‌ରେ ବିରଳ।