ଦିନେ ୟୁଜିକେ କହିଲେ- ଥରେ ଭାବନ୍ତୁ ତ ଈଶ୍ବରଙ୍କ କୌଣସି ଉପାସନା ସ୍ଥଳ ଈଶ୍ବରଙ୍କ ନାମରେ ଅଛି କି? ତାହା କୌଣସି ନା କୌଣସି ଧର୍ମାବଲମ୍ବୀଙ୍କ ନାମରେ ଚାଲିଛି। ପୁଣି ଧର୍ମାବଲମ୍ବୀଙ୍କ ଭିତରେ ବିଭିନ୍ନ ମତବାଦୀଙ୍କ ଲାଗି ଭିନ୍ନ ଭିନ୍ନ ଉପାସନା ସ୍ଥଳ। ସେହି ସବୁ ସ୍ଥାନରେ ଈଶ୍ବର କିନ୍ତୁ ଅନୁପସ୍ଥିତ ଏବଂ ମାନବ ଦ୍ବାରା ସୃଷ୍ଟ ଏହି ପ୍ରକରଣ କେବଳ ହିଂସା, ଘୃଣା ଓ ବିଦ୍ବେଷ ସୃଷ୍ଟି କରି ଚାଲିଛି। ଏହି ମର୍ମରେ କଥାଟିଏ ଶୁଣନ୍ତୁ।
ଥରେ ଜଣେ ଫକିର ସୈତାନକୁ ଦେଖିଲେ। ସୈତାନ ଆରାମରେ ଶୋଇଥିଲା। ଫକିର ବିସ୍ମିତ ହେଲେ। କାରଣ ସୈତାନ ତ ଚବିଶ ଘଣ୍ଟା ସୈତାନୀ ବୁଦ୍ଧି ଓ ଉପଦ୍ରବରେ ଲାଗି ରହିବା କଥା। ସେ ଏମିତି ଅଳସୁଆ ଭାବେ ଶୋଇଛି କେମିତି?
ସେ ସୈତାନକୁ ପଚାରିଲେ- ବଡ଼ ଆଶ୍ଚର୍ଯ୍ୟ! ତୁମେ କେମିତି ଶୋଇଛ? ଆଉ କ’ଣ ଲୋକଙ୍କୁ ବାଟବଣା କରିବା ଦରକାର ପଡୁନାହିଁ? ଲୋକଙ୍କୁ ଅବାଟରେ ନେବାର ଆବଶ୍ୟକତା ନାହିଁ? ଶୀଘ୍ର ଯାଅ। ନ ହେଲେ ଲୋକେ ଠିକଣା ବାଟରେ ଚାଲିବେ!
ସୈତାନ ଜୋରରେ ହସିଲା। ସେ କହିଲା- ବୁଦ୍ଦୁ! ମୋର ଆଉ ବ୍ୟସ୍ତ ହେବାର କୌଣସି ହେତୁ ନାହିଁ। କାରଣ ଭଗବାନଙ୍କ ଭକ୍ତମାନେ ତ ମୋ କାମ କରି ଦେଉଛନ୍ତି। ଧର୍ମ ନାମରେ ସେମାନେ ଘୃଣା, ବିଦ୍ବେଷ ପ୍ରସାର କରୁଛନ୍ତି, ଯୁଦ୍ଧ କରୁଛନ୍ତି, ରକ୍ତ ବୁହାଉଛନ୍ତି। ତେଣୁ ଏବେ ମୋର ଆରାମ କରିବାର ବେଳ।