ବାପାଙ୍କ ବିଚାର

କଥାଟିଏ - ଯାଯାବର

ବାପା ମୃତ୍ୟୁ ବେଳକୁ ତାଙ୍କର ଜମିକୁ ଦୁଇ ପୁଅଙ୍କୁ ସମାନ ଭାବେ ବାଣ୍ଟିଦେଲେ। ଗେଲ ବସରର ବଡ଼ ପୁଅକୁ ଦେଲେ ଭଲ ଓ ଉର୍ବର ଜମି ଏବ˚ ସାନ ପୁଅକୁ ମିଳିଲା ପଥୁରିଆ ଓ ଜମିର ଚକଡ଼ା। ଏଭଳି ଜମି ବଣ୍ଟାକୁ ସମସ୍ତେ ସମାଲୋଚନା କଲେ। କିନ୍ତୁ ସାନ ପୁଅ ବାପା କରିଥିବା ବିଚାର ନେଇ କିଛି କହିଲା ନାହିଁ।

ଦିନ ବିତିଗଲା। ବଡ଼ ପୁଅକୁ ବିଶେଷ କିଛି କରିବାକୁ ହେଲା ନାହିଁ। ସେ ଘରେ ବସି ତା ଜମିରୁ ଭଲ ଅମଳ ପାଇଲା ଓ ଆରାମରେ ରହିଲା। କିନ୍ତୁ ସାନ ପୁଅ ତା ଭାଗର ଜମିରୁ ଫସଲ ପାଇବା ଲାଗି ହାଡ଼ ଭାଙ୍ଗିଦେଲା। ଅନେକ ପରିଶ୍ରମ ଓ କୌଶଳ କରି ଜମିକୁ ପାଣି ନେବାର ବ୍ୟବସ୍ଥା କଲା। ଚାଷବାସର କିସମକୁ ନେଇ କେତେ ପରୀକ୍ଷାନିରୀକ୍ଷା କଲା। ଜମିରୁ କେମିତି ଭଲ ଫସଲ ମିଳିବ ସେଥି ଲାଗି ଦିନ ରାତି ଉଦ୍ୟମ କଲା। ଧୀରେ ଧୀରେ ତା ଜମିରେ ଭଲ ଫସଲ ହେଲା। ବଡ଼ ଭାଇ ଭଳି ଭଲ ଅମଳ କଲା। ହେଲେ ସେତେ ବେଳକୁ ଯୁଗ ବିତିଯାଇଥିଲା।

ଦିନକର କଥା। ସାନ ଭାଇକୁ କେହି ଜଣେ କହିଲା- ତୁମ ବାପା, ତୁମ ପ୍ରତି କେତେ ଅନ୍ୟାୟ ନ କଲେ ସତେ?

ସାନ ପୁଅ କହିଲା- ଚୁପ୍‌ କର। ବାପା ଜାଣିଥିଲେ ଯେ ଏ ଜମିରୁ କେବଳ ତାଙ୍କ ସାନ ପୁଅ ହିଁ ଫସଲ ଉପୁଜାଇ ପାରିବ। ତେଣୁ ସେ ମୋତେ ତାହା ଦେଇଥିଲେ। ସେହି ଜମି ଚକଡ଼ାକ ଦେଇ ବାପା ମୋତେ ଯାହା ଶିଖାଇ ଦେଇଛନ୍ତି, ତାହା କୌଣସି ଗୁୁରୁ ଶିଖାଇ ପାରିବେ ନାହିଁ। ଏହି ଜମି ମୋତେ ଗଢ଼ିଛି।

ସମ୍ବନ୍ଧିତ ଖବର