ଜଣେ ବୃଦ୍ଧ ପ୍ରତିଦିନ ମନ୍ଦିର ଆସୁଥିଲେ। ବୃଦ୍ଧ ଜଣକ ଆସୁଥିଲେ ନିକଟସ୍ଥ ବୃଦ୍ଧାଶ୍ରମରୁ।

Advertisment

ଦିନେ ପୂଜକ ପଚାରିଲେ- ଆଜ୍ଞା, ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି।

ବୃଦ୍ଧ କହିଲେ- ମୋ ପୁଅ, ବୋହୂ ଓ ନାତି।

ପୂଜକ ପଚାରିଲେ- ସେମାନେ ଏବେ କେଉଁଠି?

ବୃଦ୍ଧ କହିଲେ- ସେମାନେ ଏଇ ପାଖ ସହରରେ ରହନ୍ତି।

ପୂଜକ କହିଲେ- ଆପଣ ଯାହାଙ୍କ ନାମରେ ବେଳେ ବେଳେ ପୂଜା କରାନ୍ତି, ସେ କିଏ?

ବୃଦ୍ଧ କହିଲେ- ସେ ମୋର ପୁଅ।

ପୂଜକ ଟିକିଏ ବିସ୍ମିତ ହୋଇ କହିଲେ- ପଚାରୁଛି ବୋଲି କିଛି ଭାବିବେ ନାହିଁ। ଆପଣଙ୍କ ପୁଅ ଆପଣଙ୍କୁ ଆଣି ଏଠାରେ ପରିତ୍ୟକ୍ତ ଭାବେ ଛାଡ଼ି ଦେଇଗଲେ, ଅଥଚ ଆପଣ ତା’ରି ମଙ୍ଗଳ ଲାଗି ପ୍ରତି ଦିନ ପୂଜା କରୁଛନ୍ତି।

ବୃଦ୍ଧ କିଛି ସମୟ ନିରବ ରହି କହିଲେ- ସତ କହିବି? ମୋ ପୁଅ ମୋତେ ପରିତ୍ୟକ୍ତ କରିଦେଲା ପରେ ମୋ ମନରେ ଅନେକ ଦିନ ଧରି ପ୍ରତିକ୍ରିୟା ସୃଷ୍ଟି ହେଲା। ମୋ ମନ ଘୃଣାରେ ଭରିଗଲା। କିନ୍ତୁ ଦିନେ ହଠାତ୍‌ ଭାବିଲି ତା’ର ଏଭଳି ଆଚରଣ ପରେ ମୁଁ ଯଦି ସେଇ ସମାନ ଆଚରଣ ପ୍ରଦର୍ଶନ କରିବି ତେବେ ଆମ ଭିତରେ ଫରକ ରହିଲା କେଉଁଠି? ତେଣୁ ସେ ମୋତେ ଭଲ ନ ପାଇଲେ ବି ମୁଁ ସେଥି ପ୍ରତି ଧ୍ୟାନ ଦେବି ନାହିଁ। ସେହି ଦିନ ଠାରୁ ମୁଁ ଶାନ୍ତିରେ ଅଛି। ମନରେ ଆଉ ସେ ଜ୍ବାଳା ନାହିଁ।