ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି ଥିଲେ। ତାଙ୍କ ନାମ ଥିଲା ଧରମ ଦାସ। ଲୋକେ ତାଙ୍କୁ ଡାକୁଥିଲେ ଧନୀ ଧରମ ଦାସ। ସେ ସନ୍ଥ କବି କବୀରଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସେ କବୀରଙ୍କ ନିକଟକୁ ବରାବର ଆସୁଥିଲେ। କବୀର କିନ୍ତୁ ତାଙ୍କୁ ସର୍ବଦା କେବଳ ଧରମ ଦାସ ବୋଲି ଡାକୁଥିଲେ।
ଦିନେ କ’ଣ ହେଲା କେଜାଣି କବୀରଙ୍କ ସହ କଥାବାର୍ତ୍ତା ହୋଇ ଫେରିବା ବାଟରେ ତାଙ୍କ ଭାବାନ୍ତର ଆସିଲା। ତାଙ୍କ ମନରେ ଫୁଲର ସୁଗନ୍ଧ ଚହଟି ଗଲା। ନିଜ ଭିତରେ ଥିବା ଅପୂର୍ବ ସତ୍ତାକୁ ସେ ଆବିଷ୍କାର କଲେ। ବାହାର ଧନସଂପଦ ତାଙ୍କୁ ତୁଚ୍ଛ ମନେ ହେଲା। ତେଣୁ ଧରମ ଦାସ ସବୁ କିଛି ଦାନ କରିବାକୁ ଲାଗିଲେ। ଦିନ କେଇଟା ଭିତରେ ସେ ନିଃସ୍ବ ହୋଇଗଲେ। ଲୋକେ ଚମତ୍କୃତ ହେଲେ। ସେମାନେ କଥା ହେଲେ ଧନୀ ଧରମ ଦାସ ଗରିବ ହୋଇଗଲେ!
ତା’ ପରେ ଧରମ ଦାସ କବୀରଙ୍କ ନିକଟକୁ ଆସିଲେ। କବୀର ତାଙ୍କୁ ଦେଖି ଉଚ୍ଛ୍ବସିତ କଣ୍ଠରେ ସଂବୋଧନ କଲେ- ଧନୀ ଧରମ ଦାସ।
ଧରମ ଦାସ ଏହା ଶୁଣି ହସି ଦେଲେ। କବୀର ତାଙ୍କୁ ପାଖରେ ବସାଇ କହିଲେ- ତୁମେ ଏବେ ପ୍ରକୃତରେ ଧନୀ ହୋଇ ଉଠିଛ। ପ୍ରଥମ କଥା ତ ତୁମେ ନିଜ ଭିତରେ ଥିବା ଅପରିମେୟ ସଂପଦର ସନ୍ଧାନ ପାଇଲ। ଦ୍ବିତୀୟରେ ଯାହାକୁ ଲୋକେ ଧନ ବୋଲି କହି ଜାବୁଡ଼ି ଧରନ୍ତି, ତାକୁ ପାଦରେ ଆଡ଼େଇ ଦେଇ ତାହା ତୁମ ଲାଗି ମୂଲ୍ୟହୀନ ବୋଲି ପ୍ରମାଣ କରିଦେଲ। ତୁମ ଠାରୁ ଧନୀ ମୋ ଆଖିରେ ଆଉ କେହି ନାହାନ୍ତି।