ସୁନାର ମୂଲ୍ୟ
କଥାଟିଏ - ଯାଯାବର
ଆରବର ରାଜା ଥିଲେ ଖୁବ୍ ଉଚ୍ଚାଭିଳାଷୀ ଓ ଲୋଭୀ। ସେ କେବଳ ରାଜ୍ୟ ଜୟ କରୁ ନ ଥିଲେ ରାଜ୍ୟକୁ ଲୁଣ୍ଠନ କରି ଛାରଖାର କରି ଦେଉଥିଲେ। ତାଙ୍କର ଲକ୍ଷ୍ୟ ଥିଲା ପୃଥିବୀର ସବୁ ସୁନାର ମାଲିକ ହେବା।
Sambad is now on WhatsApp
Join and get latest news updates delivered to you via WhatsApp
ଥରକର କଥା। ଦୂରରେ ଥିବା ଗୋଟିଏ ରାଜ୍ୟକୁ ସେ ଆକ୍ରମଣ କରିବାକୁ ବାହାରିଲେ। ତାକୁ ଆକ୍ରମଣ କରି ବିଧ୍ବସ୍ତ କରିଦେଲେ ସିନା ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳକୁ ସମସ୍ତେ ସାଂଘାତିକ ଭାବେ କ୍ଳାନ୍ତ ହୋଇ ପଡ଼ିଥିଲେ। କିନ୍ତୁ ସେତେବେଳକୁ ବିଶ୍ରାମ ନେବାର ଜୁ ନ ଥିଲା। କାରଣ ସେମାନେ ଥିଲେ ଗୋଟିଏ ବିଶାଳ ମରୁଭୂମିର ମଧ୍ୟ ଭାଗରେ। ସେମାନଙ୍କ ପାଖରେ ପାଣି ସରିବାକୁ ବସିଥିଲା। ଜଣକ ପରେ ଜଣେ ଶୋଷରେ ମରିବାକୁ ଲାଗିଥିଲେ। ଯାହା ପାଣି ଥିଲା ସେଥିରେ କେବଳ ରାଜାଙ୍କୁ ବଞ୍ଚାଇ ରଖାଗଲା। କିନ୍ତୁ ସେତକ ବି ସରିଗଲା। ଏବେ ସମସ୍ତେ ଘୋର ତୃଷାର୍ତ୍ତ, ପାଣି ନ ପାଇଲେ ପ୍ରାଣ ଛାଡ଼ିଯିବ। ଏହି ସମୟରେ ଦିଶିଲା ଗୋଟିଏ କୂଅ। କୂଅରେ ଅନେକ ଗଭୀରରେ ଟିକିଏ ପାଣି ଥିଲା। ବାହାରେ ଦଉଡ଼ିରେ ବନ୍ଧା ହୋଇଥିଲା ଗୋଟିଏ ସୁନାର ପାତ୍ର। ପାଣି ମିଳିଗଲା ବୋଲି ରାଜା ଆତ୍ମହରା ହୋଇଗଲେ। ପାତ୍ରଟି ସୁନାର ହୋଇଥିବା ସତ୍ତ୍ବେ ରାଜାଙ୍କ ଆଖିରେ ତାହା ପଡ଼ିଲା ନାହିଁ।
ଜଣେ ସୈନିକ ପାତ୍ରକୁ କୂଅରେ ପକାଇଲା। କିନ୍ତୁ ତାକୁ ବାହାରକୁ ଟାଣିବା ପରେ ଆର୍ତ୍ତନାଦ କରି କହି ଉଠିଲା- ମହାରାଜ, ଏଥିରେ ପାଣି ଆସୁ ନାହିଁ। କାରଣ ଏଥିରେ ରହିଛି ଗୋଟିଏ ବଡ଼ ଛିଦ୍ର।
ରାଜା ହତାଶା ଓ କ୍ରୋଧରେ ସୁବର୍ଣ୍ଣ ପାତ୍ରକୁ ଗୋଇଠାଟିଏ ମାରିଲେ।