ହୀରା ଦେଖିଲ?

କଥାଟିଏ - ଯାଯାବର

ପ୍ରଭାତ ସମୟ। ଜଣେ ସାଧୁ ଓ ତାଙ୍କ ଶିଷ୍ୟ ଗୋଟିଏ ଗଛ ମୂଳରେ ବସି ପ୍ରଭାତକୁ ଉପଭୋଗ କରୁଥାଆନ୍ତି। ଆଗରେ ଯାଇଥିବା ରାସ୍ତାରେ କ’ଣ ଗୋଟିଏ ପଡ଼ି ଚକଚକ କରୁଥାଏ। ଶିଷ୍ୟ ପାଖକୁ ଯାଇ ଦେଖିଲେ ଓ ଫେରି ଆସି କହିଲେ- ମହାଭାଗ, ଆଗରେ ପଡ଼ିଛି ଏକ ବହୁ ମୂଲ୍ୟବାନ ବଡ଼ ହୀରା। କେମିତି ଝଲମଲ କରୁଛି ଦେଖନ୍ତୁ।

ସାଧୁ କହିଲେ- ମୋତେ ତ ସେମିତି କିଛି ଦିଶୁନାହିଁ!

ଶିଷ୍ୟ ହୁଏ’ତ ଆଉ କିଛି କହିଥାଆନ୍ତେ, ଏହି ସମୟରେ ସେଠାରେ ପହଞ୍ଚିଗଲେ ଘୋଡ଼ାରେ ସବାର ଦୁଇ ସୈନିକ। ସେଇ ହୀରା ଖଣ୍ଡ ପାଖରେ ପହଞ୍ଚିବା କ୍ଷଣି ସେମାନଙ୍କ ଗପସପ ବନ୍ଦ ହୋଇଗଲା। ସେମାନେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ। ତା’ ପରେ ହୀରା ଲାଗି ଦୁଇ ବନ୍ଧୁଙ୍କ ଭିତରେ ଆରମ୍ଭ ହୋଇଗଲା କଳହ। ଆଖି ପିଛୁଳାକେ ତାହା ରକ୍ତାକ୍ତ ଯୁଦ୍ଧରେ ପରିଣତ ହେଲା। ଉଭୟଙ୍କ ପାଖରେ ତରବାରି ଥିଲା। ଅଚିରେ ଦୁଇ ଜଣ ପରସ୍ପର ତରବାରି ଚୋଟରେ ମରି ଶୋଇଲେ। ହୀରାଟି ପଡ଼ି ରହିଲା।

ଉଭୟ ସାଧୁ ଓ ତାଙ୍କ ଶିଷ୍ୟ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଇଥିଲେ। କିଛି ସମୟ ପରେ ନିରବତା ଭଙ୍ଗ କରି ଗୁରୁ ପଚାରିଲେ- ଏବେ ବି କ’ଣ ତୁମେ ସେଠାରେ ହୀରା ଦେଖିପାରୁଛ?

ଶିଷ୍ୟ କହିଲେ- ନା, ମୁଁ ଏ‌େବ ସେଠାରେ ଦେଖୁଛି ଲୋଭ, ବିଶ୍ବାସଘାତକତା, ଈର୍ଷା, ହିଂସା ଓ ରକ୍ତପାତ।

ସାଧୁ କହିଲେ- ଠିକ୍‌ କହିଛ।

ସମ୍ବନ୍ଧିତ ଖବର