ଜଣେ ଯୁବକ ପହଞ୍ଚିଲା ସୁଫି ସନ୍ଥଙ୍କ ପାଖରେ ଓ କହିଲା- ଆଜ୍ଞା ମୋତେ ଶିଷ୍ୟ ଭାବେ ଗ୍ରହଣ କରିବେ କି?
ଗୁରୁ କହିଲେ- କରିବି, କିନ୍ତୁ ତୁମ ପାଖରେ ଶ୍ରଦ୍ଧା ଅଛି ତ?
ଯୁବକ କହିଲା- ଅଛି।
ଗୁରୁ କହିଲେ- ତେବେ ଗୋଟିଏ କଥା ମନେ ରଖ। ମୁଁ ଯାହା କହିବି, ତାହା କରିବ। କଦାପି ପ୍ରଶ୍ନ କରିବ ନାହିଁ। ପ୍ରଶ୍ନ କରିବ ତ କଥା ସରିଲା।
ଏହା ପରେ ଗୁରୁ ଯୁବକକୁ କୂଅ ପାଖକୁ ନେଇ ଗୋଟିଏ ବାଲ୍ଟି ଦେଖାଇ କହିଲେ- ନିଅ, ଏହାକୁ ଟାଣ। ବାଲ୍ଟିଟି କୂଅର ପାଣିରେ ବୁଡ଼ି ରହିଥିଲା ଓ ତହିଁରେ ଦଉଡ଼ିଟିଏ ଲାଗିଥିଲା। ତାକୁ ଟାଣିବାରୁ ଦେଖାଗଲା ଯେ ବାଲ୍ଟିର ତଳଟି ନାହିଁ। ତେଣୁ କୂଅରୁ ବୁନ୍ଦାଟିଏ ବି ପାଣି ଉଠୁ ନ ଥିଲା। ଯୁବକ ଏମିତି କିଛି ସମୟ ଟାଣିଲା ପରେ ଭାବିଲା- ଏ ନିଶ୍ଚୟ ଜଣେ ବଦ୍ଧପାଗଳ। ତେଣୁ ସେ ଆଉ ସମ୍ଭାଳି ନ ପାରି କହିଦେଲା- ଆଜ୍ଞା, ସାରା ଜୀବନ ବି ବିତିଗଲେ, କ’ଣ ବାଲ୍ଟିରେ ପାଣି ଉଠିବା ସମ୍ଭବ ହେବ?
ଗୁରୁ କହିଲେ- ବେଶ୍, ସରିଗଲା। ତୁ ପ୍ରଶ୍ନ ପଚାରିଦେଲୁ ଓ ଆମର ସଂପର୍କ ତୁଟିଗଲା। ତୁ ଏବେ ଯାଆ। କାରଣ, ତୋ’ ପାଖରେ ଶ୍ରଦ୍ଧା ନାହିଁ। ଯେଉଁମାନଙ୍କ ପାଖରେ ଶ୍ରଦ୍ଧା ଥାଏ, ସେମାନେ ବିନା କୌଣସି ପ୍ରଶ୍ନରେ, କୌଣସି ଫଳ ପାଇବାର ଆଶା ନ ରଖି କେବଳ କରି ଚାଲନ୍ତି। ଏବଂ ଆନନ୍ଦର ସହିତ କରନ୍ତି ଓ କ୍ଳାନ୍ତ ହୁଅନ୍ତି ନାହିଁ। କିନ୍ତୁ ତୋ’ ମନରେ ପ୍ରଶ୍ନ ଉଠିଲା? ତୁ ନିଜେ ଗୋଟିଏ ଲକ୍ଷ୍ୟ ସ୍ଥିର କରିନେଲୁ ଯେ ପାଣି ଉଠାଇବି। ତେଣୁ ଲକ୍ଷ୍ୟ କାର୍ଯ୍ୟ ଠାରୁ ବଡ଼ ହୋଇଗଲା। କାର୍ଯ୍ୟ ପ୍ରତି ଶ୍ରଦ୍ଧା ତୁଟିଗଲା। ତୋତେ କହିଥିଲି କେବଳ ବାଲ୍ଟିକୁ ବୁଡ଼ାଇ ଟେକିବା ଲାଗି। ପାଣି ଉଠାଇବା ଲାଗି ତ କହି ନ ଥିଲି!