ଜ୍ଞାନର ସୂତ୍ର

କଥାଟିଏ - ଯାଯାବର

ଜଣେ ଯୁବକ ସଦ୍‌ଗୁରୁଙ୍କ ଅନ୍ବେଷଣରେ ବାହାରିଲେ। ବହୁ କଷ୍ଟରେ ଜଣେ ସନ୍ନ୍ୟାସୀ ତାଙ୍କୁ କହିଲେ- ତୁମେ ଯଦି ଅସଲ ଜ୍ଞାନ ଖୋଜୁଛ, ତେବେ ମୋ ଗୁରୁଙ୍କ ପାଖକୁ ଯାଅ। ଏହା କହି ସେ ଯାହାଙ୍କ କଥା କହିଲେ ସେହି ବ୍ୟକ୍ତି ଥିଲେ ଜଣେ ବୃଦ୍ଧ ଯିଏ ଗୋଟିଏ ଶ୍ମଶାନରେ ମଡ଼ା ପୋଡୁଥିଲେ।
ବୃଦ୍ଧଙ୍କୁ ଯୁବକ ଜଣକ ନିଜର ଅଭିପ୍ରାୟ ଜଣାଇବା ପରେ ବୃଦ୍ଧ କିଛି ନ କହି କେବଳ ଏତିକି କହିଲେ- ଆସିଗଲ ଭଲ କଲ। ଏବେ ମଡ଼ା ପୋଡ଼ା କାମରେ ଲାଗିଯାଅ।

ଯୁବକ ଏତାଦୃଶ କାର୍ଯ୍ୟ ଲାଗି ପ୍ରସ୍ତୁତ ହୋଇ ଆସି ନ ଥିଲା। କିନ୍ତୁ ଆଉ କିଛି କରିବାର ଉପାୟ ନ ଥିଲା। ସୁତରାଂ, ମଡ଼ା ପୋଡ଼ା କାର୍ଯ୍ୟ ଆରମ୍ଭ କଲା।

ପ୍ରତି ଦିନ ଶବ ସତ୍କାରରେ ସହାୟତା କରୁଥିବା ବେଳେ ସେ ହଠାତ୍ ନିଜ ଚେତନାରେ ଏକ ପରିବର୍ତ୍ତନ ଲକ୍ଷ୍ୟ କଲା। ସେ ଏଣିକି ମୃତ୍ୟୁ ଦୂତଙ୍କୁ ଦେଖିପାରୁଥିଲା। ସେ ଦେଖୁଥିଲା ଯେ ମୃତ୍ୟୁର ଦୂତ ପ୍ରତି ବ୍ୟକ୍ତିର କାନ୍ଧରେ ସବାର ହୋଇଛନ୍ତି।

ଏହି ଚେତନା ଯୁବକ ଭିତରେ ଏକ ପରିବର୍ତ୍ତନ ଆଣିଲା। ସେ ଏଣିକି ମୃତ୍ୟୁର ଦୂତଙ୍କୁ ଜଣେ ବନ୍ଧୁ ଭାବେ ଦେଖିପାରୁଥିଲା। ମୃତ୍ୟୁ ନାମକ ଚିରନ୍ତନ ସତ୍ୟର ଉପଲବ୍‌ଧିରେ ହିଁ ତା’ର ପ୍ରଜ୍ଞା ଆଲୋକ ପ୍ରଜ୍ଜ୍ବଳିତ କରିବାକୁ ଲାଗିଲା। ମୃତ୍ୟୁକୁ ଜୀବନର ଏକ ଅଂଶ ବୋଲି ହୃଦୟଙ୍ଗମ କରିବାରେ ହିଁ ଥିଲା ପ୍ରକୃତ ଜ୍ଞାନର ସୂତ୍ର।

ସମ୍ବନ୍ଧିତ ଖବର