ରୋମ ନଗରୀରେ ଥିଲେ ଜଣେ ବିଚକ୍ଷଣ ଲୁହା କାରିଗର। ତାଙ୍କ କାର୍ଯ୍ୟର ଉତ୍କର୍ଷ ଥିଲା ଅଦ୍ବିତୀୟ। ତାଙ୍କ ଦ୍ବାରା ନିର୍ମିତ ଜଂଜିର ବା କଡ଼ିକୁ କେହି ଭାଙ୍ଗି ପାରୁ ନ ଥିଲେ। ଦୂର ଦୂର ଯାଏ ତାଙ୍କ ଜିନିଷ ବିକ୍ରି ହେବା ଲାଗି ଯାଉଥିଲା ଏବଂ ସେ ଥିଲେ ରୋମର ଜଣେ ପ୍ରସିଦ୍ଧ ସନ୍ତାନ।

Advertisment

ଥରେ ରୋମ ଉପରେ ଶତ୍ରୁ ଅାକ୍ରମଣ କଲେ। ରୋମ ପରାସ୍ତ ହେଲା। ରୋମର ପ୍ରସିଦ୍ଧ ତିରିଶ ଜଣଙ୍କୁ ବନ୍ଦୀ କରି ସେମାନଙ୍କ ହାତ ଓ ଗୋଡ଼ରେ କଡ଼ି ଲଗାଇ ଜଙ୍ଗଲରେ ଫିଙ୍ଗି ଦେବାର ବ୍ୟବସ୍ଥା ଶତ୍ରୁ ପକ୍ଷ କଲେ। ସେମାନଙ୍କୁ ଏକ ଘୋଡ଼ା ଗାଡ଼ିରେ ଲଦି ଜଙ୍ଗଲକୁ ନିଆଯାଉଥିବା ବେଳେ ସମସ୍ତେ କାନ୍ଦୁଥିଲେ। କିନ୍ତୁ ଲୁହା କାରିଗର ଥିଲେ ଅବିଚଳିତ। ସେ ସେମାନଙ୍କୁ ତୁନି ରହିବା ଲାଗି କହି ଧୀରେ କହିଲେ- ଭୟ କରନ୍ତୁ ନାହିଁ। ପିଲା ଦିନରୁ ଲୁହା ସହିତ ମୁଁ ଖେଳି ବଡ଼ ହୋଇଛି। ଏମିତି କୌଣସି ଲୁହାର ଜଂଜିର ନାହିଁ, ଯାହାକୁ ମୁଁ ଭାଙ୍ଗି ପାରିବି ନାହିଁ।

ଏବେ ଆଶାର ଆଲୋକ ଦିଶିଲା। ସମସ୍ତଙ୍କୁ ଜଙ୍ଗଲରେ ଫିଙ୍ଗି ଦିଆଗଲା ହିଂସ୍ର ପଶୁଙ୍କ ଆହାର ହେବା ଲାଗି। ଲୁହାର କାରିଗର ଏବେ ତାଙ୍କ ଲୁହା କଡ଼ିକୁ ଯାଞ୍ଚ କଲେ। କିନ୍ତୁ ହାୟ, ସେ ମ୍ରିୟମାଣ ହୋଇ କାନ୍ଦି ଉଠିଲେ।

ସମସ୍ତେ ତଟସ୍ଥ ହୋଇ ତାଙ୍କ କ୍ରନ୍ଦନର କାରଣ ପଚାରିବାରୁ ସେ କହିଲେ- ମରିବା ଛଡ଼ା ଆଉ ବାଟ ନାହିଁ। କାରଣ ଆମେ ଯେଉଁ ଶିକୁଳିରେ ବନ୍ଧା ତାହା ମୋ କାରଖାନାରେ ତିଆରି। ଏହାକୁ ଭଗବାନ ବି ଭାଙ୍ଗି ପାରିବେ ନାହିଁ।

ଏହାକୁ କହନ୍ତି ବିଧିର ବିଡ଼ମ୍ବନା।