ଚୈତନ୍ୟ ଚେଇଁ ରହୁ

କଥାଟିଏ - ଯାଯାବର

ଜଣେ ପ୍ରସିଦ୍ଧ ଜେନ୍ ଗୁରୁଙ୍କ ପାଖକୁ ଆସିଲା ଜଣେ ଯୁବକ ଓ କହିଲା ଯେ ସେ ଶିଷ୍ୟ ହେବାକୁ ଚାହେଁ।

ଗୁରୁ କହିଲେ- ବସ। ମୁଁ ଯାହା କହୁଛି ଚୁପ୍‌ଚାପ୍‌ ଶୁଣ।

ଏହା କହି ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କିଛି କହିବାକୁ ଲାଗିଲେ। ଯୁବକଟି ସବୁ ଶୁଣୁଥାଏ। କିଛି ସମୟ ପରେ ନିଜ ଅଜାଣତରେ ସେ ନିଜ ପାଦ ହଲାଇବାକୁ ଲାଗିଲା। ଗୁରୁ ତା’ ପାଦ ଆଡ଼କୁ ଚାହିଁଲେ। ଯୁବକ ପ୍ରକୃତିସ୍ଥ ହୋଇ ସ୍ଥିର ହୋଇଗଲା। ଗୁରୁ ପୁଣି କହିବା ଆରମ୍ଭ କଲେ। କିଛି ସମୟ ପରେ ଯୁବକ ପୁଣି ପାଦ ହଲାଇବାକୁ ଲାଗିଲା।

ଗୁରୁ ପୁଣି ପାଦ ଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ରହିବାରୁ ଯୁବକ ପୁଣି ପ୍ରକୃତିସ୍ଥ ହୋଇଗଲା।

ଗୁରୁ କହିଲେ- ତୁମେ ପାଦ ହଲାଉଛ କାହିଁକି?

ଯୁବକ କହିଲା- ମୁଁ ଜାଣିପାରୁନାହିଁ କେତେବେଳେ ପାଦ ହଲାଇ ଦେଉଛି। ମୁଁ ଆପଣଙ୍କ କଥା ମନଧ୍ୟାନ ଦେଇ ଶୁଣୁଥିବା ବେଳେ ପାଦ ଆପଣା ଛାଏଁ ହଲୁଛି।

ଗୁରୁ କହିଲେ- ପାଦ ତୁମର, ଅଥଚ ପାଦ କେତେବେଳେ ହଲି ଯାଉଛି ଜାଣିପାରୁନାହଁ? ତାହା ହେଲେ ତ ବିଷମ ସମସ୍ୟା। ତୁମ ହାତ କେତେବେଳେ ଅଜାଣତରେ କାହାର ହତ୍ୟା କରିଦେବ ଅଥଚ ତୁମେ ଜାଣି ନ ଥିବ!

ଯୁବକ ଚୁପ୍‌ ରହିଲା।

ଗୁରୁ କହିଲେ- ଏଥି ଲାଗି ତୁମକୁ ସର୍ବଦା ଜାଗ୍ରତ ରହିବାକୁ ହେବ। ତୁମ ପାଦ ହଲୁଛି ଅଥଚ ତୁମେ ଜାଣିପାରୁନାହଁ ମାନେ ତୁମର ଚୈତନ୍ୟର ଗୋଟିଏ ଅଂଶ ଶୋଇଛି। ଏବେ ଠାରୁ କେବଳ ସେତିକି ଅଭ୍ୟାସ କର, ଯେମିତି ତୁମେ ଯାହା ବି କରିବ ସେ ନେଇ ସଚେତ ରହିବ। ଯେ ପର୍ଯ୍ୟନ୍ତ ଶୋଇ ନାହଁ, ସେ ପର୍ଯ୍ୟନ୍ତ ତୁମର ସମସ୍ତ ଶରୀର ଓ ମନ ଚେଇଁ ରହିଥାଉ।

ସମ୍ବନ୍ଧିତ ଖବର