ସୁଫି ସନ୍ଥ ରାବିୟା ନିଜ କୁଡ଼ିଆରେ କୋରାନ ପାଠ କରୁଥିବା ବେଳେ ସେଠାେର ପହଞ୍ଚିଲେ ଆଉ ଜଣେ ସୁଫି ସନ୍ଥ ହାସାନ। ହାସାନ କହିଲେ- ରାବିୟା, ଆସ। ଆଗରେ ବହି ଯାଉଥିବା ନଈ ଉପରେ ଚାଲିବା।
ରାବିୟା ସ୍ଥିର କଣ୍ଠରେ କହିଲେ- କାହିଁକି?
ହାସାନ କହିଲେ- ଓହୋ ତୁମେ ପାରିବ ନାହିଁ ପରା! କିନ୍ତୁ ମୁଁ ପାରୁଛି। ମୁଁ ନଈର ପାଣି ଉପରେ ଚାଲି ପାରିବି। ହେଇ ଦେଖ!
ଏହା କହି ହାସାନ ଅଲୌକିକ ଭାବେ ନଈ ଉପରେ ଚାଲିବାକୁ ଲାଗିଲେ।
କିଛି ସମୟ ପରେ ସେ ରାବିୟାଙ୍କ ପାଖକୁ ଫେରି ଆସି କହିଲେ- ଦେଖିଲ ତ?
ରାବିୟା କହିଲେ- ହଁ ଦେଖିଲି ଯେ, ଏହାର କାରଣ ବୁଝିପାରିଲି ନାହିଁ। ପ୍ରଥମ କଥା ତ ଆମେ ଭୂମି ଉପରେ ଚାଲି ପାରୁଥିବା ବେଳେ ପାଣି ଉପରେ ଚାଲିବାର ଅର୍ଥ କ’ଣ? ପାଣିରେ ତ ପହଁରି ହେବ!
ହାସାନ କହିଲେ- ପାଣି ଉପରେ ଚାଲିପାରିବାର ସାମର୍ଥ୍ୟ ହିଁ ବଡ଼ କଥା। ଏହା ଅଲୌକିକତା।
ରାବିୟା କହିଲେ- କିନ୍ତୁ ମୁଁ ଭାବେ ଆମକୁ ଈଶ୍ବର ଭୂମି ଉପରେ ଚାଲିବାକୁ ଗଢ଼ିଛନ୍ତି। ଆମେ ସଂପୂର୍ଣ୍ଣ ଠିକ ଭାବେ ଚାଲିପାରିବାର ସାମର୍ଥ୍ୟ ହିଁ ଅଲୌକିକତା। ପ୍ରଥମ କଥା ତୁମେ ମାଟି ଉପରେ ଠିକ ଭାବେ ଚାଲିପାରିଲଣି ତ? ଦ୍ବିତୀୟ କଥା ଈଶ୍ବର ଯାହା ଚାହାନ୍ତି ନାହିଁ, ତାହା ଆମକୁ ଦେଇ ନ ଥାଆନ୍ତି। ତେଣୁ ପାଣି ଉପରେ ଚାଲିବା ହେଉଛି ଈଶ୍ବର ବା ସୃଷ୍ଟିର ଇଚ୍ଛା ବିରୋଧରେ ଯିବା। ତାହା ଅଲୌକିକତା ନୁହେଁ।