ଜଣେ ତରୁଣ ସନ୍ନ୍ୟାସୀ ଗୁରୁଙ୍କୁ ପଚାରିଲେ- ମୁଁ ଈଶ୍ବରଙ୍କ ନିକଟରେ କ’ଣ ପ୍ରାର୍ଥନା କରିବା ଉଚିତ।

Advertisment

ଗୁରୁ କହିଲେ- ତୁମେ ପ୍ରାର୍ଥନା କର ଯେ ହେ ଈଶ୍ବର, ମୋ ଶତ୍ରୁମାନଙ୍କୁ କ୍ଷମା କରିଦେବାର ଭାବ ମୋ ଠାରେ ଉଦୟ କର।

ତରୁଣ ସନ୍ନ୍ୟାସୀ ଏହା ଶୁଣି କହିଲେ- ମହାତ୍ମା, ମୋ ଶତ୍ରୁମାନଙ୍କ ଉପରେ ମୋ ମନରେ ଆଦୌ ଆକ୍ରୋଶ ବା ବିଦ୍ବେଷ ଭାବ ନାହିଁ। ତେଣୁ ସେମାନଙ୍କୁ କ୍ଷମା କରିବାର ଭାବ ଉତ୍ପନ୍ନ ହେବା ସକାଶେ ଈଶ୍ବରଙ୍କ ଠାରେ ପ୍ରାର୍ଥନା କରିବାର ଆବଶ୍ୟକତା ଅଛି କି?

ଗୁରୁ କହିଲେ- ଯଦିଓ ତୁମେ କହୁଛ ଯେ ଶତ୍ରୁମାନଙ୍କ ବିରୋଧରେ ତୁମ ମନରେ ଆଦୌ ଆକ୍ରୋଶ ନାହିଁ। କିନ୍ତୁ ଯେଉଁମାନେ ଶତ୍ରୁ, ସେମାନେ ତୁମ ମନରେ ଏ ଯାବତ୍‌ ଚିହ୍ନିତ ହୋଇ ରହିଛନ୍ତି। ସେମାନଙ୍କୁ କ୍ଷମା କରିଦେବା ଅର୍ଥ ହେଲା ସେମାନଙ୍କ ଠାରେ ଲାଗିଥିବା ସେଇ ଚିହ୍ନକୁ ସ˚ପୂର୍ଣ୍ଣ ଭାବେ ଲିଭାଇଦେବା। ତୁମେ ସେଥିରେ ସଫଳ ହୋଇ ପାରିଛ କି? ଶତ୍ରୁମାନଙ୍କ ପରିଚୟକୁ ପୂରା ଭୁଲି ଯାଇଛ କି?

ସତ କହିଲେ କ୍ଷମା ଦେଇ ପାରିବା ହେଉଛି ଏକ ମହାନ ଗୁଣ। ଶତ୍ରୁମାନଙ୍କୁ କ୍ଷମା କରିଦେବାର ଅର୍ଥ ତୁମ ମନରୁ ଶତ୍ରୁର ସତ୍ତା ହଜିଯିବା। ଏହା ହେଉଛି ଶତ୍ରୁ ବିନାଶର ସବୁଠାରୁ ଭଲ ମାର୍ଗ।

ତରୁଣ ସନ୍ନ୍ୟାସୀ କହିଲେ- ଏବେ ଠାରୁ ସେ ଦିଗରେ ଚେଷ୍ଟା କରିବି।