ପଶ୍ଚାତ୍ତାପ

କଥାଟିଏ - ଯାଯାବର

ଥରେ ମୁଲ୍ଲା ନସିରୁଦ୍ଦିନ ମନ ଦୁଃଖରେ ଯାଉଥିବାର ଦେଖି ଜଣେ ପଡ଼ୋଶୀ ପଚାରିଲେ- ମୁଲ୍ଲା, ମନ ଦୁଃଖ ଥିଲା ଭଳି ଲାଗୁଛି। କଥା କ’ଣ? ଗତ କାଲି ରାତିରେ ତୁମ ଘରୁ ଭୀଷଣ ପାଟିତୁଣ୍ତ ଶୁଭୁଥିଲା। ଭାଉଜ ତୁମକୁ ବହୁତ ବକୁଥିଲେ। ସେଥି ଲାଗି ମନ ଉଦାସ କରିଛ କି?

ମୁଲ୍ଲା କହିଲେ- ନା, ନା ତାହା କିଛି ନୁହେଁ। କାଲି ଯେଉଁ ଝଗଡ଼ା ହୋଇଥିଲା ତା’ର କାରଣ ଥିଲା ଏୟା ଯେ ମୁଁ କାହିଁକି ଘରଦ୍ବାରର ଯତ୍ନ ନେଉ ନାହିଁ ବୋଲି ତୁମ ଭାଉଜ ମୋତେ ରାଗୁଥିଲା। ସେ ତୁମର ଉଦାହରଣ ଦେଇ କହୁଥିଲା, ଦେଖ ସେ କେମିତି ନିଜ ଘରଦୁଆର ସଜାଡ଼ି କରି ରଖିଛି। ହେଲେ ଆମ ଘରେ କେଉଁଠି କବାଟ ଭଙ୍ଗା ତ କେଉଁଠି ଝରକା ଓହଳି ପଡ଼ିଲାଣି।

ପଡ଼ୋଶୀ ହସି କହିଲେ- ତା’ ତ ଠିକ୍‌। ହେଲେ ତୁମେ କ’ଣ କହିଲ?

ମୁଲ୍ଲା କହିଲେ- ମୁଁ ଛାଡ଼ିବା ଜନ୍ତୁ ନୁହେଁ। ମୁଁ ବି ଜବାବ ଦେଲି। ହେଲେ, ଆଜି ଅଲଗା କାରଣରୁ ମନ ଦୁଃଖ। ମୁଁ ପସ୍ତେଇ ହେଉଛି ଯେ କାହିଁକି ତୁମ ଭଳି ଘରଦ୍ବାର, ଜିନିଷପତ୍ରର ଯତ୍ନ ନେଉ ନ ଥିଲି ବୋଲି!

ପଡ଼ୋଶୀ କହିଲେ- ତୁମେ ତ ବିଚିତ୍ର ଲୋକ! ଭାଉଜକୁ ଜବାବ ଦେଲ ବୋଲି କହୁଛ, ପୁଣି ପଶ୍ଚାତ୍ତାପ କରୁଛ?

ମୁଲ୍ଲା କହିଲେ- ତୁମେ କଥାଟା ପୂରା ଶୁଣି ନାହଁ। କାଲିର ଝଗଡ଼ା ବଢ଼ିଲା। ଭାଉଜ ରାଗରେ ତା’ ବାପ ଘରକୁ ଚାଲିଯିବାକୁ ବାହାରିବା ବେଳେ ଲୁଗାପଟା ରଖିଥିବା ସିନ୍ଦୁକର ତାଲା ଖୋଲିଲା ନାହିଁ। ସେତିକି ବେଳେ ଭାବିଲି- ହାୟ, ଠିକଣା ସମୟରେ ତାଲାରେ ତେଲ ଟିକିଏ ଦେଇଥିଲେ କେତେ ବଢ଼ିଆ ହୋଇ ନ ଥାଆନ୍ତା?

ସମ୍ବନ୍ଧିତ ଖବର