ଜଣେ ରାଜାଙ୍କ ମନରେ ହଠାତ୍ ପଶ୍ଚାତ୍ତାପ ସୃଷ୍ଟି ହେଲା। ଜୀବନରେ ସେ ଅନେକ ଭୁଲ୍ କରିଥିଲେ। ସେଥିରୁ ଅନେକ ଲୋକ ବହୁତ ଦୁଃଖକଷ୍ଟ ପାଇଥିଲେ। ସେ ସବୁ ଲାଗି ସେ ଗଭୀର ଭାବେ ଅନୁତପ୍ତ ହେଲେ। ଏମିତି ଭୁଲ୍ ତାଙ୍କ ଦ୍ବାରା କିଭଳି ସମ୍ଭବ ହେଲା ବୋଲି ସେ ଭାବିବାରେ ଲାଗିଲେ! ନିଜକୁ ଧିକ୍କାର କଲେ। ସେ ଭାବିଲେ ଯେ ତାଙ୍କୁ କେହି ତାଙ୍କ ଅତୀତ ଫେରାଇ ଦେଲେ ସେ ନିଜକୁ ସୁଧାରି ଦିଅନ୍ତେ।
ଏହି ସମୟରେ ରାଜଧାନୀରେ ପହଞ୍ଚିଲେ ଜଣେ ଫକିର। ରାଜା ଏହା ଶୁଣି ତାଙ୍କ ପାଖକୁ ଗଲେ ଓ କହିଲେ- ମହାତ୍ମା ମୋ ମନ ବିଷାଦଗ୍ରସ୍ତ। ମୁଁ ଏଭଳି ଅନେକ କାମ କରିଛି, ଯାହା କରିବା ଆଦୌ ଉଚିତ ନ ଥିଲା। ଏବେ ମୁଁ ଅନୁତପ୍ତ? ମୁଁ କେମିତି ଏଭଳି ଅମଣିଷ ହୋଇପାରିଲି, ସେହି ଚିନ୍ତା ମୋତେ ମ୍ରିୟମାଣ କରି ରଖିଛି।
ଫକିର ଏହା ଶୁଣି କହିଲେ- ଆପଣ ପ୍ରକୃତରେ ଅନୁତପ୍ତ ନୁହନ୍ତି। କାରଣ ଆପଣ ଏବେ ଯେଉଁ ଭାବନା ରଖିଛନ୍ତି, ସେଥିରେ ଆପଣଙ୍କ ଅହଂକାର ଦିଶୁଛି। ଆପଣ ପଶ୍ଚାତ୍ତାପ କରୁଛନ୍ତି ଅଥଚ କହୁଛନ୍ତି ଯେ ଆପଣଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଦ୍ବାରା ଏଭଳି ଭୁଲ୍ ହେଲା କେମିତି? ଏହାର ଅର୍ଥ କ’ଣ? ଆପଣ ଏଭଳି ମହାନ ଯେ ଆପଣଙ୍କ ଦ୍ବାରା କୌଣସି ଭୁଲ୍ କସ୍ମିନ କାଳେ ହେବା କଥା ନୁହେଁ, ଅଥଚ ହୋଇଗଲା କିପରି? ଏହି ଅହଂକାର ପରିତ୍ୟାଗ କରନ୍ତୁ। କେବଳ ନିଜକୁ ଗଭୀର ଭାବେ ଅନୁଧ୍ୟାନ କରି ଜାଣନ୍ତୁ ଯେ ଆପଣ ଆମ ସମସ୍ତଙ୍କ ଭଳି କିଭଳି ଦୋଷ ଦୁର୍ବଳତାରେ ଭରା! ଏହି ଅବବୋଧ ହିଁ ଆପଣଙ୍କ ପ୍ରକୃତ ପ୍ରାୟଶ୍ଚିତ୍ତ ହେବ।