ସଫଳତାର ସୂତ୍ର

କଥାଟିଏ - ଯାଯାବର

ଜନବସତିର ଗୋଟିଏ ସ୍ଥାନରେ ପ୍ରତିଦିନ ଦୁଇଟି ପିଲା ଖେଳନ୍ତି। ସେମାନେ ଦୁହେଁ ଭାରି ସାଙ୍ଗ। ସେମା‌େ‌ନ ପରସ୍ପର ସହିତ ମିଛି ମିଛିକା ଲଢ଼ନ୍ତି। କିନ୍ତୁ ପ୍ରତ୍ୟେକ ଥର ଦେଖିବାକୁ ମିଳେ ଯେ ସବଳ ପିଲାଟି ହାରିଯାଏ ଏବଂ ଦୁର୍ବଳ ଭଳି ଲାଗୁଥିବା ପିଲାଟି ଜିତେ। ଏହି କଥାକୁ ଲକ୍ଷ୍ୟ କରୁଥାଆନ୍ତି, ଅଳ୍ପ ଦୂରରେ ଆଶ୍ରମଟିଏ କରି ରହିଥିବା ଜଣେ ସାଧୁଙ୍କ କେତେକ ଶି‌ଷ୍ୟ। ସେମାନଙ୍କ ମଧ୍ୟରେ ଅନେକ ସମୟରେ ବାଜି ମରାମରି ହୁଏ ଯେ ସବଳ ବାଳକଟି ନିଶ୍ଚିତ ଜିତିବ। କିନ୍ତୁ କୌଣସି ଦିନ ତାହା ସମ୍ଭବ ହୁଏ ନାହିଁ।

ଏ ବିଷୟରେ ଥରେ ଶିଷ୍ୟମାନେ ସାଧୁଙ୍କୁ ପଚାରିଲେ। ସାଧୁ କହିଲେ- ତୁମେମାନେ ସେହି ପିଲା ଦ୍ବୟଙ୍କୁ ଭଲ ଭାବେ ଲକ୍ଷ୍ୟ କର। ତାହା ହେଲେ ତୁମେମାନେ ଏହାର କାରଣ କ’ଣ ତାହା ବୁଝି ପାରିବ।

ଶିଷ୍ୟମାନେ ତାହା କରିବାରୁ ଦେଖିଲେ ଯେ ସର୍ବଦା ଜିଣୁଥିବା ପିଲାଟି କେବେ ହେଲେ ଜିଣିବା ଲାଗି ଖେଳୁ ନାହିଁ। ସେ ଖେଳରୁ ପ୍ରଚୁର ଆନନ୍ଦ ପାଉଥିବାରୁ ତହିଁରେ ବୁଡ଼ି ଯାଉଛି। କେମିତି ଆହୁରି ଅଧିକ ଆନନ୍ଦ ପାଇବ, ତାହା ତା’ର ଲକ୍ଷ୍ୟ ହୋଇପଡ଼ିଛି। ସେଥି ଲାଗି ସେ ସର୍ବଦା ଶାନ୍ତ ରହୁଛି ଏବଂ କେବେ ହେଲେ ବିଚଳିତ ହେଉନାହିଁ। କିନ୍ତୁ ସବଳ ପିଲାଟି ପ୍ରତ୍ୟହ ହାରି ଯାଉଥିବାରୁ କେମିତି ଜିଣିବ ସେଇ ଲକ୍ଷ୍ୟରେ ପ୍ରାଣପଣେ ଲାଗି ପଡୁଛି। ସେଥି ଲାଗି ସେ ଖେଳରୁ ଯେମିତି ଆନନ୍ଦ ପାଇବା କଥା ତାହା ପାଉନାହିଁ।

ଶିଷ୍ୟମାନେ ଯାହା ‌ଉପଲବ୍‌ଧି କଲେ, ତାହା ଗୁରୁଙ୍କୁ କହିଲେ। ଗୁରୁ କହିଲେ- ତାହା ଠିକ। ସଫଳତାକୁ ଶ୍ରେୟ କରି କୌଣସି କାମ କଲେ ତାହା ଭଲ ଭାବେ ସଂପାଦିତ ହୋଇ ନ ପାରେ। କିନ୍ତୁ କୌଣସି କାମରୁ କେମିତି ଭରପୂର ଆନନ୍ଦ ପାଇବି ବୋଲି ଭାବି ତାହା କଲେ ସଫଳତା ଆପେଆପେ ଆସିବ।

ସମ୍ବନ୍ଧିତ ଖବର