ଜଣେ ରାଜକୁମାରଙ୍କ କଥା

କଥାଟିଏ - ଯାଯାବର

ଥରେ ଜଣେ ରାଜକୁମାର ଖବର ପାଇଲେ ଯେ ପଡ଼ୋଶୀ ରାଜ୍ୟର ଅନିନ୍ଦ୍ୟ ସୁନ୍ଦରୀ ଜେମାଙ୍କୁ ଜଣେ ଦୈତ୍ୟ ଅପହରଣ କରି ରଖିଛି ସମୁଦ୍ର କୂଳସ୍ଥ ନିଜ ଶହେ ମହଲା ବିଶିଷ୍ଟ ପ୍ରାସାଦର ସବା ଉପର ମହଲାରେ। ରାଜକୁମାରୀ ଥିଲେ ତାଙ୍କ ବାଗ୍‌ଦତ୍ତା। ତେଣୁ ସେ ରାଜକୁମାରୀଙ୍କୁ ରକ୍ଷା କରିବାକୁ ବାହାରିଲେ। ତାଙ୍କ ପାଖରେ ଥିଲା ଜଣେ ଦେବଦୂତ ଦେଇଥିବା ତରବାରି। ତେଣୁ ସେ ଦୈତ୍ୟକୁ ଭୟ କରୁ ନ ଥିଲେ। ଘମାଘୋଟ ଯୁଦ୍ଧ ପରେ ଶେଷରେ ରାଜକୁମାର ବିଜୟୀ ହେଲେ। ଦୈତ୍ୟ ମଲା। ଖୁସିରେ ରାଜକୁମାର ଏମିତି ପାଗଳ ହୋଇଗଲେ ଯେ ଦୈତ୍ୟକୁ ସମୁଦ୍ର ଭିତରକୁ ନିକ୍ଷେପ କଲେ।

ଏଥର ସେ ରାଜକୁମାରୀଙ୍କୁ ମୁକ୍ତ କରିବା ଲାଗି ବାହାରିଲେ। ଉତ୍ତୁଙ୍ଗ ପ୍ରାସାଦର ମହଲା ପରେ ମହଲା ଅତିକ୍ରମ କରି ଉପରକୁ ଉଠିଲା ବେଳକୁ ରାଜକୁମାରଙ୍କ ମନରୁ ଆନନ୍ଦ ଲିଭିବାକୁ ଲାଗିଲା। କାରଣ ତାହା ଥିଲା ଅତ୍ୟନ୍ତ କଷ୍ଟଦାୟକ। ଶହେ ମହଲାରେ ପହଞ୍ଚିବା ବେଳକୁ ତାଙ୍କ ଶରୀରରେ ଯେଭଳି ଜୀବନ ନ ଥିଲା। କିନ୍ତୁ ରାଜକୁମାରୀଙ୍କୁ ମୁକ୍ତ କରିବାକୁ ହେବ। ଶେଷରେ ଅତି କଷ୍ଟରେ ସେ ପହଞ୍ଚିଲେ ଶହେତମ ମହଲାରେ।

କିନ୍ତୁ, ଏ କଅଣ? ସେଠି ଦୁଆରେ ଝୁଲୁଥିଲା ଏକ ପ୍ରକାଣ୍ତ ତାଲା। ତାକୁ ଭାଙ୍ଗିବା କୌଣସିମତେ ସମ୍ଭବ ନ ଥିଲା। ସେଠି ରାଜକୁମାର ଅବଶ ହୋଇ ବସିଗଲେ। ହତାଶା ଓ ଅପରିସୀମ କ୍ଳାନ୍ତି ହେତୁ କିଛି କ୍ଷଣ ଭିତରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ପ୍ରକୃତରେ ଚାବି ରହିଯାଇଥିଲା ସେଇ ଦୈତ୍ୟ ପାଖରେ ଯାହାକୁ ରାଜକୁମାର ଆନନ୍ଦାତିଶଯ୍ୟରେ ସମୁଦ୍ର ଗର୍ଭକୁ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର