ଗୁରୁକୁଳର ଶିକ୍ଷା

କଥାଟିଏ - ଯାଯାବର

ଗୋଟିଏ ସହରରେ ରହୁଥିଲେ ଜଣେ ସନ୍ଥ। ସେ ଥିଲେ ସତ୍ୟ, ଅହି˚ସା ଏବ˚ ସଦାଚାରର ମୂର୍ତ୍ତିମନ୍ତ ଅବତାର। କିନ୍ତୁ, ସେ କେବେ ବି କାହାକୁ ତାଙ୍କୁ ଅନୁସରଣ କରିବାକୁ ପ୍ରବର୍ତ୍ତାଉ ନ ଥିଲେ। ସେଇ ସହରରେ ବାହାରିଲା ଏମିତି ଜଣେ ଯୁବକ, ଯେ ସେଇ ସନ୍ଥଙ୍କ ମାର୍ଗ ବାବଦରେ ଶିକ୍ଷା ଦେବା ଲାଗି ଗୁରୁକୁଳଟିଏ ତିଆରି କରିବାକୁ ଭାବିଲା।
ସନ୍ଥ ଥିଲେ ଜଣେ ପରିବ୍ରାଜକ। ସେ ଅନେକ ଦିନ ଲାଗି ସେଇ ସହର ଛାଡ଼ି ବାହାରକୁ ଚାଲିଗଲେ। ତାଙ୍କ ଅନୁପସ୍ଥିତିରେ ଯୁବକଟି ସନ୍ଥଙ୍କ ନାମରେ ଗୁରୁକୁଳଟିଏ ଖୋଲି ତାଙ୍କ ମୂଲ୍ୟବୋଧ ଶିକ୍ଷା ଦେବାର ବ୍ୟବସ୍ଥା କଲା। ସହରର ଲୋକେ ତାକୁ ସାଧୁ ସାଧୁ ବୋଲି କହିଲେ।

କିଛି ଦିନ ପରେ ସନ୍ଥ ସହରକୁ ଫେରିଲେ। ସେତିକି ବେଳକୁ ତାଙ୍କ ନାମରେ ସମର୍ପିତ ଗୁରୁକୁଳର ଖ୍ୟାତି କାହିଁରେ କଅଣ ବ୍ୟାପିଯାଇଥାଏ। ତହିଁରୁ ଅନେକ ଛାତ୍ର ସନ୍ଥଙ୍କ ବାଣୀର ପ୍ରଚାର କରିବାରେ ଲାଗିଥାଆନ୍ତି।

ସନ୍ଥ ଥରେ କୌତୂହଳବଶତଃ ଏଭଳି ଏକ ପ୍ରବଚନ ସଭାକୁ ଗଲେ ଯେଉଁଠି ଜଣେ ବକ୍ତା ତାଙ୍କରି ଆଦର୍ଶ ଉପରେ ଭାଷଣ ଦେଉଥିଲେ। ସମସ୍ତଙ୍କ ଅଲକ୍ଷ୍ୟରେ ସନ୍ଥ ଲୋକଙ୍କ ଭିତରେ ବସିଗଲେ। କିନ୍ତୁ ସେଠି ସେ ଯେଉଁ ଭାଷଣ ଶୁଣିଲେ ତାଙ୍କର କାନ ତାବଦା ହୋଇଗଲା। ବକ୍ତା ଜଣକ ତାଙ୍କ ପ୍ରଶ˚ସା କଲେ। ତାଙ୍କ ଆଦର୍ଶ ଓ ମାର୍ଗର ଘୋର ପ୍ରଶସ୍ତି ଗାନ କଲେ ଏବ˚ ସେଇ ସମାନ ନିଃଶ୍ବାସରେ ଅନ୍ୟ ସନ୍ଥମାନଙ୍କ ଆଦର୍ଶକୁ ଗାଳିମନ୍ଦ କରି ଧୂଳିସାତ୍‌ କରିଦେଲେ। ଏହା ଶୁଣିବା ପରେ ବ୍ୟଥିତ ହୋଇ ସନ୍ଥ ସେଠାରୁ ଉଠି ଚାଲିଆସିଲେ।

ଗୁରୁକୁଳ ଆରମ୍ଭ କରିଥିବା ଯୁବକକୁ ସେ ପଚାରିଲେ- ବାବୁ, ତୁମେ ଏ କଅଣ କଲ? ପ୍ରଥମ କଥା ତ ହେଲା ସବୁ ଆଦର୍ଶ ଉଚ୍ଚ ସ୍ତରୀୟ ଓ ସମାନ ଭାବେ ସମ୍ମାନାସ୍ପଦ। ତୁମ ଗୁରୁକୁଳର ଶିଷ୍ୟ ମୋର ପ୍ରଶସ୍ତି ଗାନ କଲା ବେଳେ ଅନ୍ୟ ଗୁରୁଙ୍କ ଆଦର୍ଶକୁ ଛୋଟ କରିବାର ଅର୍ଥ କଅଣ? ଦ୍ବିତୀୟ କଥା ହେଲା, ମହତ୍‌ ଗୁଣ କାହାକୁ ଶିଖାଯାଏ ନାହିଁ। ଏହାକୁ ଆତ୍ମସ୍ଥ କରିବାକୁ ପଡ଼େ। ତୁମେ ଗୁରୁକୁଳଟିଏ କରି ମୋ ଦ୍ବାରା ବତା ଯାଇଥିବା ମାର୍ଗକୁ ବହି ଜ୍ଞାନ ତୁଲ୍ୟ ସିନା କରିଦେଲ, କିନ୍ତୁ ତାକୁ ଆତ୍ମସ୍ଥ କରୁଥିବା ଶିଷ୍ୟଟିଏ ତିଆରି କରିପାରିଲ ନାହିଁ। ତୁମ ଗୁରୁକୁଳର ଛାତ୍ରଛାତ୍ରୀମାନେ କେବଳ ଶୁଆ ଭଳି ରଟିଚାଲିବେ, କେବେ ଭଲ ମଣିଷ ହେବେ ନାହିଁ।

ସମ୍ବନ୍ଧିତ ଖବର