ପିଲାଟିଏ ତା’ ଶିକ୍ଷକଙ୍କୁ ପଚାରିଲା- ଆଜ୍ଞା, ମୋ ମନରେ ପ୍ରଶ୍ନଟିଏ ଆସୁଛି। କଦଳୀ ଗଛ ତ ଦୁର୍ବଳ; ସେଥିରେ ଭଗବାନ କୋଉ ବୁଦ୍ଧିରେ ଏତେ ବଡ଼ କାନ୍ଧିମାନ ଦେଲେ?
ଶିକ୍ଷକ କହିଲେ- ପଚାରିଲୁ ଯଦି ଏବେ ମୁଲ୍ଲା ନସିରୁଦ୍ଦିନଙ୍କ କଥା ଶୁଣ। ଥରେ ମୁଲ୍ଲା ଗୋଟିଏ ବର ଗଛ ମୂଳରେ ଶୋଇଥିଲେ। ଉପରେ ବର ଫଳ ଫଳିଥିଲା। ତାକୁ ଦେଖି ହଠାତ୍‌ ତାଙ୍କ ମନରେ ଭାବନାଟିଏ ଆସିଲା ଯେ ଭଗବାନଙ୍କ ମଗଜରେ ଭାଗମାପର ବିଚାର ନାହିଁ। ଏତେ ବଡ଼ ବର ଗଛ, ତହିଁରେ କେତେ ଛୋଟ ଫଳମାନ ଫଳିଛି? କେତେ ସୁନ୍ଦର ଦିଶନ୍ତା ନାହିଁ ଯଦି ବର ଗଛରେ କଖାରୁ ଭଳି ଫଳ ଫଳନ୍ତା!

Advertisment

ଏମିତି ଭାବୁଥିବା ବେଳେ ହଠାତ୍‌ ବର ଫଳଟିଏ ଖସି ତାଙ୍କ ମୁଣ୍ଡରେ ପଡ଼ିଲା। ମୁଲ୍ଲା ଏଥର ଉଠି ବସି ଭଗବାନଙ୍କୁ ଧନ୍ୟବାଦ ଜଣାଇଲେ ଏବଂ କହିଲେ- ପ୍ରଭୁ ଭାଗ୍ୟ ଭଲ ତୁମେ ବରଗଛରେ କଖାରୁ ଭଳି ଫଳ ଦେଇନା!

ପିଲାଟି ଏହା ଶୁଣି କହିଲା- କିନ୍ତୁ କଦଳୀ ଗଛ କଥା?

ଶିକ୍ଷକ କହିଲେ- କଦଳୀ ଗଛର ତତ୍ତ୍ବ ହେଲା ତାହା ବଡ଼ ହେବାକୁ ଯତ୍ନ ଲୋଡ଼େ ନାହିଁ। କିନ୍ତୁ ତା’ ବୋଲି ଚାଷୀ ବା ମାଳୀ ଅମନଯୋଗୀ ହୋଇ ରହି ପାରିବେ ନାହିଁ। କାନ୍ଧି ବଡ଼ ହେଲା ବେଳକୁ କଦଳୀ ଗଛକୁ ଛିଡ଼ା କରି ରଖିବା ଲାଗି ଢିରା ଦେବାକୁ ହେବ।

ଶିକ୍ଷକ କହିଲେ- ବୁଝିଲୁ ବାବୁ, ଏଇ ତ ଭଗବାନଙ୍କ ନିୟମ। ଏ ପୃଥିବୀରେ ତାଙ୍କ ଦ୍ବାରା ତିଆରି ସବୁ କିଛି ଆମକୁ କୌଣସି ନା କୌଣସି ବାଟରେ ଶିକ୍ଷା ଦିଅନ୍ତି। କଦଳୀ ଗଛର ଶିକ୍ଷା ହେଲା ଫଳ ପାଇବାକୁ ହେଲେ ଯତ୍ନ ନେବାକୁ ହେବ।