ଜଣେ ଯୁବକ ଇଚ୍ଛା କଲେ ଯେ ରାଜ୍ୟର ସର୍ବ ପ୍ରସିଦ୍ଧ ଜେନ୍‌ ଗୁରୁଙ୍କ ଶିଷ୍ୟ ହେବେ। ସେ ତାଙ୍କ ଆଶ୍ରମରେ ପହଞ୍ଚିଲେ। ସେତିକି ବେଳକୁ ଗୁରୁ ଏକ ଗାତ ଖୋଳାରେ ବ୍ୟସ୍ତ ଥିଲେ। ଯୁବକ ସେଠାରେ ଅପେକ୍ଷା କରି ବସି ରହିଲେ।

Advertisment

ଗୁରୁଙ୍କ ଗାତ ଖୋଳା ବନ୍ଦ ହେଲା ନାହିଁ। ସେ ଏମିତି ନିବିଷ୍ଟ ଚିତ୍ତରେ କାମ କରୁଥିଲେ ଯେ ଆଗନ୍ତୁକ ଯୁବକ ସେଠାରେ ଉପସ୍ଥିତ ଥିବା କଥା ଜାଣି ମଧ୍ୟ ପାରି ନ ଥିଲେ। ଶେଷରେ ଧୈର୍ଯ୍ୟହରା ହୋଇ ଯୁବକ ଗୁରୁଙ୍କୁ ସଂବୋଧନ କରି ପ୍ରଣାମ କଲେ ଏବଂ ଜଣାଇଲେ ଯେ ଗୁରୁ ଗାତ ଖୋଳାରେ ବ୍ୟସ୍ତ ଥିବାରୁ ସେ ସେଥିରେ ବାଧା ନ ଆଣି ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କର କିଛି ଜରୁରୀ କଥାବାର୍ତ୍ତା ଥିବାରୁ ବାଧ୍ୟ ହୋଇ ଗୁରୁଙ୍କୁ ଡାକିଲେ! ଏହା ଶୁଣି ଗୁରୁ କହିଲେ- ତୁମେ ଭୁଲ୍‌ କହୁଛ। ମୁଁ ଗାତ ଖୋଳୁ ନ ଥିଲି! ଗାତ ଖୋଳି ହୋଇ ଯାଉଥିଲା।

ଯୁବକ ଏହି କଥାର ମର୍ମ ବୁଝିପାରିଲେ ନାହିଁ।

ଗୁରୁ କହିଲେ- ବୁଝି ପାରିଲ ନାହିଁ ବୋଧେ! କାମ କଲା ବେଳେ ମୁଁ ଆଉ ନ ଥାଏ! କାମ ସହିତ ଏମିତି ଏକାକାର ହୋଇଯାଏ ଯେ ତା’ ଭିତରେ ହଜିଯାଏ। ହଉ, ତୁମେ ଅପେକ୍ଷା କର। ପରେ କଥା ହେବା।

ଯୁବକ ପଚାରିଲେ- ଆଉ କେତେ ସମୟ ଅପେକ୍ଷା କରିବି?

ଗୁରୁ କହିଲେ- ଅପେକ୍ଷା କରିବାରେ ହଜି ଯାଅ। ଦେଖିବ ତୁମେ ରହିବ ନାହିଁ କି ସମୟ ବି ରହିବ ନାହିଁ।

ଏହି କଥାଟି ଯୁବକଙ୍କ ମୁଣ୍ଡରେ ବୈଦ୍ୟୁତିକ ଚମକ ଭଳି ଜ୍ଞାନର ଉଦୟ କଲା। ସେ ଜେନ୍‌ ଗୁରୁଙ୍କୁ ପ୍ରଣାମ କରି ଘରକୁ ଫେରିଲେ। ଯେ କୌଣସି କର୍ମ ହେଉ ତହିଁରେ ହଜି ଯିବାର ସାଧନା କରିବାର ପଣ ନେଇ ସେ ଫେରିଲେ।