ରାଜା ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ କହିଲେ- ମୁଲ୍ଲା, ତୁମେ ତ କୁହ ତୁମେ କାହାର ଗୋଲାମ ନୁହଁ। ମୁଁ କିନ୍ତୁ କହିବି ତୁମେ ମୋର ଗୋଲାମ।

Advertisment

ନସିରୁଦ୍ଦିନ କହିଲେ- ଜାହାଁପନା, ଆପଣ ଏହା ପ୍ରମାଣ କରିପାରିବେ?

ରାଜା କହିଲେ- ଅଲବତ୍‌। ହଉ ଏବେ ଦେଖ।

ତା’ ପରେ ରାଜା ମୁଲ୍ଲାଙ୍କୁ ଆଦେଶ ଦେବା ଭଙ୍ଗୀରେ କହିଲେ- ମୁଲ୍ଲା, ତୁମେ ଏଠାରେ ବସ ଆଉ ମୁଁ ନ କହିବା ପର୍ଯ୍ୟନ୍ତ ଉଠିବ ନାହିଁ। ରାଜାଙ୍କ କଥା ସରୁ ନ ସରୁଣୁ ମୁଲ୍ଲା ସେଠି ବସି ପଡ଼ିଲେ। ଏଥିରେ ରାଜାଙ୍କ ସମେତ ସଭାରେ ଉପସ୍ଥିତ ସମସ୍ତେ ହସି ଉଠିଲେ। ତା’ ପରେ ରାଜା ସେଠାରୁ ଚାଲିଗଲେ।

ଅନେକ ସମୟ ପରେ ରାଜାଙ୍କ ହଠାତ୍‌ ମନେ ପଡ଼ିଗଲା ମୁଲ୍ଲାଙ୍କୁ ବସେଇ ଦେଇ ଆସିଛନ୍ତି। ସେ ରାଜସଭାକୁ ଫେରିଲେ। ମୁଲ୍ଲା ସେମିତି ବସି ରହିଥିଲେ। ରାଜା କହିଲେ ଏବେ ସେଠାରୁ ଉଠି ମୋ ପାଖକୁ ଆସ। ମୁଲ୍ଲା ସାଙ୍ଗେ ସାଙ୍ଗେ ତାହା ପାଳନ କଲେ।

ଏବେ ରାଜା ସଭାସଦ୍‌ଙ୍କୁ ଚାହିଁ କହିଲେ- ମୋ ପାଟିରୁ କଥା ନ ସରୁଣୁ ମୁଲ୍ଲା ମୋ ଆଦେଶ ପାଳନ କରୁଛି, ଅଥଚ କହୁଛି ଯେ ସେ ମୋର ଗୋଲାମ ନୁହେଁ।

ଏ କଥାରେ ପୁଣି ସମସ୍ତେ ହସି ଉଠିଲେ।

କିନ୍ତୁ ମୁଲ୍ଲା ଅବିଚଳିତ ଭାବେ କହିଲେ- ମହାରାଜ, ଆପଣ ମୋତେ ଯେଉଁ ଆଦେଶ ଦେଲେ ତାକୁ ମୁଁ ଅତ୍ୟନ୍ତ ଖୁସିର ସହ ପାଳନ କରିଛି ସତ, କିନ୍ତୁ ମୋ ନିଜ ଇଚ୍ଛାରେ ତାହା କରିଛି। ଇଚ୍ଛା ନ ଥାଇ ପାଳିଥିଲେ ମୁଁ ଆପଣଙ୍କ ଗୋଲାମ ହୋଇଥାଆନ୍ତି। କିନ୍ତୁ ମୁଁ ଆନନ୍ଦରେ ତାହା ପାଳୁଛି। ତହିଁରେ ମୋର ଆନନ୍ଦ। ତେଣୁ ମୁଁ କି ସତରେ ଗୋଲାମ ପଦବାଚ୍ୟ?