ଜଣେ ସନ୍ଥ ଥିଲେ। ଅଳ୍ପ କିଛି ଶିଷ୍ୟଙ୍କ ସହିତ ଏକ ନିକାଞ୍ଚନ ସ୍ଥାନରେ ଆଶ୍ରମ କରି ସେ ରହୁଥିଲେ। ଥରେ ସନ୍ଥ ଦୀର୍ଘ କାଳ ସକାଶେ ପରିଭ୍ରମଣରେ ବାହାରିଗଲେ।
ସେ ଯିବା ପରେ ତାଙ୍କ ଶିଷ୍ୟମାନେ ବିଚାର କଲେ ଯେ ସେମାନଙ୍କ ଗୁରୁ ତାଙ୍କ ପ୍ରଜ୍ଞା ଓ ଗୁଣ ଅନୁସାରେ ଯଥାର୍ଥ ସମ୍ମାନ ପାଇ ପାରିନାହାନ୍ତି। ତେଣୁ ଗୁରୁଙ୍କ ଲାଗି ପରିଚିତି ସୃଷ୍ଟି କରିବାକୁ ହେବ।
ତେଣୁ ସେମାନେ ଗୁରୁଙ୍କ ମହିମା ପ୍ରଚାର କରିବାକୁ ଲାଗିଲେ। ଖୁବ୍ ଶୀଘ୍ର ଆଶ୍ରମଟି ଜଣାଶୁଣା ହୋଇଗଲା। ଅନେକ ଲୋକ ସେଠାକୁ ଆସିଲେ। କିଛି ଦିନ ପରେ ସନ୍ଥଙ୍କ ଏକ ମୂର୍ତ୍ତି ସେଠାରେ ବସିଗଲା ଏବଂ ପୂଜା ପାଇଲା। ଗହଳଚହଳ ବଢ଼ିଲା, ଭଜନ କୀର୍ତ୍ତନ ଚାଲିଲା। ଶିଷ୍ୟମାନେ ମଧ୍ୟ ଜଣେ ଜଣେ ବାବାରେ ପରିଣତ ହୋଇଗଲେ।
ଦିନେ ସନ୍ଥ ଫେରିଲେ। କିନ୍ତୁ ଏହା ଦେଖି ସେ ତଟସ୍ଥ ହୋଇଗଲେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଏ ତାମସା ବନ୍ଦ କରିବାକୁ କହିବାରୁ ତାଙ୍କୁ ଚିହ୍ନି ନ ଥିବା ଭକ୍ତମାନଙ୍କ ଦ୍ବାରା ଉତ୍ତମ ମଧ୍ୟମ ବି ପାଇଲେ। ତେଣୁ ସେ ସେଠାରୁ ଚାଲିଯିବାକୁ ବସିଥିବା ବେଳେ ଦୈବାତ୍ ଜଣେ ଶିଷ୍ୟର ନଜରରେ ପଡ଼ିଲେ।
ଶିଷ୍ୟ ଦୌଡ଼ି ଆସି ତାଙ୍କ ଗୋଡ଼ ତଳେ ପଡ଼ି କହିଲା- କୁଆଡ଼େ ଯାଉଛନ୍ତି? ଆପଣ ଏଠାରେ ରହନ୍ତୁ। ଦେଖନ୍ତୁ ଆପଣ ଆଜି କେମିତି ସର୍ବତ୍ର ପୂଜିତ! ଆପଣ ଯେଉଁଥି ଲାଗି ଯୋଗ୍ୟ, ତାହା ଏବେ ଆପଣଙ୍କୁ ମିଳିବ।
ସନ୍ଥ କହିଲେ- ଭଲ ହେଲା। କିନ୍ତୁ ମୁଁ ଯାଉଛି। କାରଣ ତୁମେ ମୋର ମୂର୍ତ୍ତି ବସାଇ ପୂଜା କରିବା ଆରମ୍ଭ କରିବା ଦିନ ହିଁ ମୋର ମୃତ୍ୟୁ ଘଟିଗଲା। ଏବେ ମୋର ମୂର୍ତ୍ତି ବଡ଼। ପୂଜା ଓ କୀର୍ତ୍ତନ ବଡ଼। ମୋତେ ପୂଜା କରୁଥିବା ଲୋକେ ମୋ କଥା ବୁଝିବେ ନାହିଁ। ତେଣୁ ଏ ପୂଜା କାହିଁକି ଚାଲିଛି ବୋଲି କହିଲେ ମୁଁ ଲାଂଛିତ ହେବି। ତେଣୁ ମୁଁ ଚାଲିଲି।