ସ୍ବର୍ଗ ପ୍ରବେଶ

କଥାଟିଏ - ଯାଯାବର

ଜଣେ ରାବାଇ ଥିଲେ ଅତ୍ୟନ୍ତ କର୍ମକାଣ୍ଡବାଦୀ। ଇହୁଦୀମାନଙ୍କ ଧର୍ମଯାଜକ ବା ପୂଜକମାନଙ୍କୁ କୁହାଯାଏ ରାବାଇ। ଏହି ରାବାଇ ଜଣକ ପବିତ୍ର ଖାଦ୍ୟ ଖାଇବା ଠାରୁ ଆରମ୍ଭ କରି ଓପ‌ାସ ରଖିବା, ଦିନକୁ ଅନେକ ଥର ପ୍ରାର୍ଥନା କରିବା ଓ ବଡ଼ ପାଟିରେ ଈଶ୍ବରଙ୍କୁ ଡାକିବାରେ ଦିନ କାଟୁଥିଲେ ଏବଂ ତାଙ୍କ ଅନୁଗତମାନଙ୍କୁ ସେଭଳି କଠିନ ଜୀବନ କାଟିବାକୁ ପରାମର୍ଶ ଦେଉଥିଲେ। ରାବାଇ ଜଣକ କହୁଥିଲେ ଯେ ଈଶ୍ବର ଏଥିରେ ଖୁସି ହେବେ ଏବଂ ମୃତ୍ୟୁ ପରେ ସ୍ବର୍ଗକୁ ଯିବା ନିଶ୍ଚିତ।

ଦିନେ ରାବାଇଙ୍କ ମୃତ୍ୟୁ ହେଲା। ତାଙ୍କୁ ନେଇ ଦେବଦୂତମାନେ ଈଶ୍ବରଙ୍କ ପାଖକୁ ଉଡ଼ିଗଲେ। ସ୍ବର୍ଗର ପ୍ରବେଶ ଦ୍ବାର ପାଖରେ ନିଜେ ଈଶ୍ବର ବସିଥିଲେ।

ରାବାଇଙ୍କ ଆତ୍ମା ଈଶ୍ବରଙ୍କୁ ପ୍ରଣାମ କରି ସ୍ବର୍ଗ ଭିତରକୁ ପ୍ରବେଶ କରିବାକୁ ଅନୁମତି ମାଗିଲା।

ଈଶ୍ବର କହିଲେ- ତୁମେ ଭାରି କଠିନ ଜୀବନ କାଟିଲ। ତୁମ ପ୍ରାର୍ଥନା ଓ ମୋତେ ଡାକିବାର ଚିତ୍କାରରେ ମୁଁ ମଧ୍ୟ ଶାନ୍ତିରେ ବସି ପାରିନାହିଁ। ସେ ଯାହା ହେଉ ତାଲମୁଦ୍‌ (ଇହୁଦୀମାନଙ୍କ ପବିତ୍ର ଧର୍ମଗ୍ରନ୍ଥ) ତ ପଢ଼ିଥିବ? ତେବେ ସେଥିରେ ଲେଖାଥିବା କଥା ନିଶ୍ଚୟ ଜାଣିଥିବ ଯେ ମୁଁ ସ୍ବର୍ଗର ପ୍ରବେଶ ଦ୍ବାରରେ କେବଳ ଗୋଟିଏ ପ୍ରଶ୍ନ ପଚାରେ- ପୃଥିବୀରେ ଆନନ୍ଦ ଲାଭ କରିବା ଲାଗି ମୁଁ ତୁମକୁ ଅନେକ ସୁଯୋଗ ଦେଇଥିଲି। ତୁମେ କେତେ ଗୋଟିର ଉପଯୋଗ କରିଛ? ଏବେ ଉତ୍ତର ଦିଅ।

ରାବାଇ ଏବେ ଭାବିବାକୁ ଲାଗି‌େଲ। ସତ କଥା ହେଲା ଆଧ୍ୟାତ୍ମର କଠିନ ବ୍ରତରେ ‌େସ ଆନନ୍ଦ ଲାଭକୁ ତୁଚ୍ଛ ମଣିଥିଲେ! ଏଇ ଭିତରେ କିନ୍ତୁ ଈଶ୍ବର ଅଦୃଶ୍ୟ ହୋଇ ସାରିଥିଲେ ଏବଂ ସ୍ବର୍ଗର ଫାଟକ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର