ମୁଲ୍ଲା ନସିରୁଦ୍ଦିନଙ୍କ ଗାଁରେ ଖୋଲିଲା ଏକ ଦୋକାନ ଯେଉଁଠି ଯୋଗ୍ୟ ପାତ୍ରୀ ମିଳିବେ। ସୁତରାଂ, ମୁଲ୍ଲା ଦୌଡ଼ିଲେ।
ସେଠାରେ ପଶୁ ପଶୁ ଦୁଇଟି ଦରଜା ଥିଲା। ଲେଖା ଥିଲା କ’ଣ ଚାହାନ୍ତି? ଗୋଟିଏ ଦରଜା ଉପରେ ଲେଖା ଥିଲା ‘ଟିକିଏ ବୟସ୍କ ପାତ୍ରୀ’ ତ ଅନ୍ୟଟିରେ ଲେଖା ଥିଲା ‘ତରୁଣୀ କନ୍ୟା’। ସ୍ବାଭାବିକ ଭାବେ ମୁଲ୍ଲା ‘ତରୁଣୀ କନ୍ୟା’ ଦରଜାଟି ଦେଇ ଭିତରକୁ ପଶିଲେ। ପୁଣି ଦୁଇଟି ଦରଜା- ଲେଖା ଥିଲା ସାଧାରଣ ନା ସୁନ୍ଦରୀ! ମୁଲ୍ଲା ଚଟ୍ କିନା ସୁନ୍ଦରୀ ଲେଖା ଥିବା ଦରଜା ପେଲି ଭିତରକୁ ପଶିଲେ। ପୁଣି ଦୁଇଟି ଦରଜା- ଗୃହ କାମ ନିପୁଣା ନା କାମ ଜାଣି ନ ଥିବା କନ୍ୟା! ଏଠି ମୁଲ୍ଲା କ’ଣ ବାଛିଥିବେ ତାହା କହିବା ଲୋଡ଼ା ନାହିଁ। ମୁଲ୍ଲା ଭିତରକୁ ପଶିଲେ। ପୁଣି ଦୁଇଟି ଦରଜାର ପ୍ରଶ୍ନ- ଭଲ ଗୀତ ଗାଉଥିବା ପାତ୍ରୀ ନା ଗୀତ ଗାଇ ଜାଣି ନ ଥିବା କନ୍ୟା! ମୁଲ୍ଲା ଭଲ ଗୀତ ଗାଉଥିବା ପାତ୍ରୀ ଲେଖା ଥିବା ଦରଜା ଦେଇ ଭିତରକୁ ପଶିଲେ।
ଏବେ ସେଠାରେ କନ୍ୟା ନ ଥିଲା କି ଆଉ ଦୁଇଟି ଦରଜା ନ ଥିଲା। ଥିଲା ଏକ ବିଶାଳ ଦର୍ପଣ। ଯାହା ଉପରେ ଲେଖା ଥିଲା- ସ୍ବାଗତମ୍। ଆପଣଙ୍କ ଇଚ୍ଛାମାନରୁ ଜଣାଗଲା ଯେ ଆପଣ ସତରେ ବହୁତ କିଛି ଚାହାନ୍ତି। ତେଣୁ ଏବେ ଆମକୁ କହିବାକୁ ପଡୁଛି ଯେ ସେ ସବୁ ପାଇବା ପୂର୍ବରୁ ଦୟା କରି ଆପଣ ନିଜ ଚେହେରାକୁ ଟିକେ ଦେଖି ନିଅନ୍ତୁ।
ମୁଲ୍ଲା ଦର୍ପଣରେ ନିଜ ଚେହେରାକୁ ଦେଖି ଘରକୁ ଫେରିଲେ।