ଗୋଟିଏ ଜଳ ବିହୀନ ଅପନ୍ତରା ସ୍ଥାନରେ ଜଣେ ସାଧୁ ରହୁଥିଲେ। ସେ ନିଜ ବ୍ୟବହାର ଲାଗି ବହୁ ଦୂରରୁ ପାଣି ଆଣୁଥିଲେ। ସେଇ ପାଣି ନିତି ଦିନିଆ କାମରେ ଲାଗୁଥିଲା। କିନ୍ତୁ ଗୋଟିଏ ଛୋଟ ଗଛ ମୂଳରେ ପ୍ରତିଦିନ ସେ ଦୁଇ ଗରା ପାଣି ଢାଳୁଥିଲେ। ଥରେ ସେଇ ଆଶ୍ରମରେ ଶିଷ୍ୟ ଭାବେ ରହିଲା ଜଣେ ଯୁବକ। ଏବେ ସେ ପାଣି ଆଣିଲା।
ଦିନେ ସେ ଗୁରୁଙ୍କୁ ପଚାରିଲା- ଏହା ଏକ ମରୁଭୂମି। ତଥାପି ଏଇ ଗଛକୁ ବଞ୍ଚାଇ ରଖିବା ଲାଗି ଆମେ ପ୍ରତି ଦିନ ଦୁଇ ଗରା ପାଣି ଢାଳୁଛନ୍ତି। କାରଣ କ’ଣ? ଏଇଟା କି ଗଛ କି?
ଗୁରୁ କହିଲେ- ଆଜିକୁ ଆଠ ବର୍ଷ ତଳେ ଜଣେ ବ୍ୟକ୍ତି ଏହି ଗଛଟି ଏଠାରେ ଲଗାଇ ଦେଇ କହି ଯାଇଥିଲେ ଯେ ଏହି ଗଛରେ କୋଡ଼ିଏ ବର୍ଷରେ ଥରେ ଫୁଲ ଫୁଟେ, ଯହିଁରୁ ପ୍ରସ୍ତୁତ ଔଷଧ ଜଣକୁ ଚିରଞ୍ଜୀବୀ କରି ରଖିପାରେ। ତେଣୁ ମୁଁ ତାକୁ ବଞ୍ଚାଇ ରଖିବା ଲାଗି ଏମିତି କରୁଛି।
ଏଣିକି ଶିଷ୍ୟଟି ସବୁ ଦିନ ଗଛ ଲାଗି ପାଣି ଆଣି ଢାଳିବାରେ ଲାଗିଲା। ଏମିତି ବିତି ଗଲା ଆଉ ବାର ବର୍ଷ। କିନ୍ତୁ ଫୁଲ ଫୁଟିଲା ନାହିଁ। ଶିଷ୍ୟ ଗୁରୁଙ୍କୁ କହିଲା- ଆଜି କୋଡ଼ିଏ ବର୍ଷ ପୂରିଲା।
ଗୁରୁ କହିଲେ - ଏବେ ତ ଅଭ୍ୟାସ ହୋଇଗଲାଣି। ପାଣି ଢାଳି ଚାଲ।
ତା’ ପରେ ଅନେକ ବର୍ଷ ବିତିଗଲା। ଆଉ ଫୁଲ ଫୁଟିବାର କିଛି ଆଶା ନ ଥିଲା। କିନ୍ତୁ ପ୍ରତି ଦିନ ପାଣି ଢଳା ଚାଲିଥିଲା। ଏମିତି ଦିନେ ହଠାତ୍ କଢଟିଏ ଆତ୍ମପ୍ରକାଶ କଲା।
ଏବେ ଶିଷ୍ୟଟି ଗଛ ପାଖରେ ବସିପଡ଼ିଲା। ଗୁରୁ ବି ଆସି ପହଞ୍ଚିଲେ।
ଶିଷ୍ୟ ଗୁରୁଙ୍କୁ କହିଲା- ମୁଁ ଅନେକ ସମୟରେ ଭାବୁଥିଲି ଆମେ ନିର୍ବୋଧ। କୌଣସି ଜଣେ ଅର୍ବଚୀନର କଥାରେ ପଡ଼ି ଆମେ ନିଷ୍ଫଳ ପରିଶ୍ରମ କରି ଚାଲିଛେ। କିନ୍ତୁ ଏବେ ମୁଁ ବୁଝୁଛି ଏହା ପଛରେ ଥିବା ତତ୍ତ୍ବଟି କ’ଣ? ଫଳ ମିଳିବ ବୋଲି ବିଶ୍ବାସ ରଖି କାମ କଲେ ତାହା ମିଳିଥାଏ। ଫଳ ସହସା ମିଳେ ନାହିଁ। ତା ଲାଗି ଅପେକ୍ଷା କରିବାକୁ ପଡ଼େ। ମନରେ ବିଶ୍ବାସ ଥିଲେ ଅପେକ୍ଷା କରିବା ସମ୍ଭବ।