ଈଶ୍ୱରଙ୍କ ବାଟ

କଥାଟିଏ - ଯାଯାବର

ଜଣେ ରାଜାଙ୍କ ମୃତ୍ୟୁ ପରେ ରାଜପୁତ୍ର ନୂଆ ରାଜା ଭାବେ ଅଭିଷିକ୍ତ ହେଲେ। ଶାସନର ବର୍ଷକ ପରେ ନୂଆ ରାଜା ତାଙ୍କ ଶିକ୍ଷା ଗୁରୁଙ୍କୁ ଉଆସକୁ ଆମନ୍ତ୍ରଣ କଲେ। ଗୁରୁ ଦେଖିଲେ ରାଜା ସେତିକି ବେଳକୁ ତୋଷାମଦକାରୀମାନଙ୍କ ଦ୍ବାରା ପରିବେଷ୍ଟିତ। ପ୍ରଜାମାନଙ୍କ କଥା ବୁଝିବା ଲାଗି ତାଙ୍କ ପାଖରେ ସମୟ ନାହିଁ।

ଗୁରୁ ତାଙ୍କୁ କହିଲେ- ବାବୁ ତୁମେ ରାଜ କାର୍ଯ୍ୟରେ ଟିକିଏ ମନ ଦିଅ। ରାଜା କହିଲେ- ଗୁରୁଦେବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ଶାସନରେ ସବୁ ପ୍ରଜା ବେଶ୍‌ ଖୁସି। ମୋ ପାଖ ଲୋକେ ମତେ ଏ ଖବର ଦେଉଛନ୍ତି।

ଗୁରୁ କହିଲେ- ମୁଁ ତୁମର ପାଖ ଲୋକମାନଙ୍କୁ ଦେଖି ସାରିଲିଣି। ତୁମ ବାପାଙ୍କର ଏତେ ପାଖ ଲୋକ ନ ଥିଲେ। ତୁମେ କାହିଁକି ଏତେ ପାଖ ଲୋକଙ୍କୁ ରଖିଛ?

ନୂଆ ରାଜା କହିଲେ- ଗୁରୁଦେବ, ସେମାନେ ଥିବାରୁ ମୁଁ ମୋ ଶାସନରେ ନିରଙ୍କୁଶ ଏବ˚ ମୋ ରାଜ୍ୟରେ ନିରାପଦ।

ଗୁରୁ ଆଉ କିଛି କହିଲେ ନାହିଁ। ତା’ ପରେ ସେ ରାଜମାତାଙ୍କୁ ଦେଖା କରି କହିଲେ- ରାଣୀ ମାଆ, ଆପଣଙ୍କ ସ୍ବାମୀ ଶାସନ କଲା ବେଳେ ଏ ପ୍ରାସାଦର ଗୋଟିଏ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ଥିଲା। କିନ୍ତୁ ଆପଣଙ୍କ ପୁଅର ରାଜୁତି କାଳରେ ଗୋଟିଏ ଗଳା ବାଟ ଦରକାର ପଡ଼ିପାରେ। ତେଣୁ ଆପଣ ନିଜର ଏକାନ୍ତ ବିଶ୍ବସ୍ତଙ୍କ ଜରିଆରେ ରାଜପ୍ରାସାଦ ଭିତରୁ ଗୋଟିଏ ସୁଡ଼ଙ୍ଗ ଖୋଳି ତାକୁ ନିରାପଦ ଦୂରତାରେ ଛାଡ଼ିବାର ବ୍ୟବସ୍ଥା କରନ୍ତୁ। କାରଣ ଆପଣଙ୍କ ପୁତ୍ର ଶତ୍ରୁ ଓ ମିତ୍ର ଭିତରେ ପ୍ରଭେଦ ବୁଝୁନାହିଁ।

ରାଜମାତା ତୁରନ୍ତ ସୁଡ଼ଙ୍ଗ ନିର୍ମାଣ କାମ ଆରମ୍ଭ କଲେ। କିଛି ବର୍ଷ ପରେ ରାଜମାତାଙ୍କ ଦେହାନ୍ତ ହେଲା। କିନ୍ତୁ ତା’ ପୂର୍ବରୁ ସେ ନିଜର ଯୋଗ୍ୟ ବୋହୂଙ୍କୁ ଡାକି ସେଇ ଗୁପ୍ତ ଦ୍ବାର ଦେଖାଇ ଦେଇ କହିଲେ- କାହାକୁ କହିବୁ ନାହିଁ। ଏହା ଈଶ୍ବରଙ୍କ ବାଟ। ଯେତେବେଳେ ପରିସ୍ଥିତି ବଦଳିବ, ଏ ବାଟ କାମରେ ଆସିବ।

ସତକୁ ସତ କିଛି ଦିନ ଭିତରେ ପରିସ୍ଥିତି ବଦଳିଲା। ମିତ୍ର ଶତ୍ରୁ ହୋଇଗଲେ। ବିଦ୍ରୋହୀ ରାଜଉଆସ ଭିତରକୁ ପଶିବା ପୂର୍ବରୁ ରାଣୀ ରାଜାଙ୍କୁ ଧରି ସେଇ ବାଟ ଦେଇ ପଳାୟନ କଲେ। ସେଇ ବାଟ ଦେଇ ଗଲା ବେଳେ ରାଜା ବିସ୍ମିତ ହୋଇ ପଚାରିଲେ ଏହା ନିର୍ମାଣ କଲା କିଏ? ରାଣୀ କହିଲେ- ତୁମ ହାବଭାବ ଦେଖି ଗୁରୁ ଏହାକୁ ନିର୍ମାଣ କରାଇ ରଖିଥିଲେ।

ସମ୍ବନ୍ଧିତ ଖବର